ବାୟୁସେନାର ‘କାର୍ଗିଲ୍‌ ଷ୍ଟାର୍‌’ ମିଗ୍‌-୨୭ ଲଢୁଆ ବିମାନର ଆଜି ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରୁ ଆଜି ବିଦାୟ ନେବ ମିଗ୍‌ -୨୭ ଯୁଦ୍ଧ ବିମାନ । ୨୦ ବର୍ଷ ପୂର୍ବେ ପାକିସ୍ତାନ ସହ କାରଗିଲ୍‌ ଯୁଦ୍ଧ ସମୟରେ ମିଗ୍‌-୨୭ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଗତ ୪ ଦଶନ୍ଧି ଧରି ମିଗ୍‌-୨୭ ଭାରତୀୟ ବାୟୁସେନାର ମେରୁଦଣ୍ଡ ଥିଲା। ଆଜି ମିଗ୍‌-୨୭ ତା’ର ଶେଷ ଉଡ଼ାଣ କରିବ। ଏହାପରେ ମିଗ୍‌-୨୭ ଇତିହାସ ପାଲଟିଯିବ। ଯୋଧପୁର ସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମିଗ୍‌ -୨୭କୁ ବିଦାୟ ଦିଆଯିବ।

ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନ୍‌ରୁ ଆଜି ଏହି ଲଢୁଆ ବିମାନର ଶେଷ ଉଡ଼ାଣ ଆୟୋଜନ କରାଯିବ। ଏଥିପାଇଁ ବିଶେଷ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ବାୟୁସେନାର ବହୁ ବର୍ଷିୟାନ୍‌ ଯୋଦ୍ଧାଙ୍କ ସହ କାର୍ଯ୍ୟରତ ଯୋଦ୍ଧାମାନେ ବି ଯୋଗଦେବେ। ‘ଏୟାର୍‌ ଅଫିସର୍‌ କମାଣ୍ଡିଙ୍ଗ୍‌-ଇନ୍‌-ଚିଫ୍‌ ସାଉଥ୍‌ େଓ୍ଵଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌’ର ଏୟାର୍‌ ମାର୍ସାଲ୍‌ ଏସ୍‌. କେ. ଘୋତିଆ ଏହି ଲଢୁଆ ବିମାନ ଅବତରଣ ଉତ୍ସବରେ ଅଧ୍ୟକ୍ଷତା କରିବେ।

Image Courtesy of IFA

ମିଗ୍‌ ୨୭ ଯୁଦ୍ଧ ବିମାନ ୪ ଦଶନ୍ଧି ପୂ‌ର୍ବେ ଭାରତୀୟ ସେନାବାହିନୀରେ ସାମିଲ ‌ହୋଇଥିଲା। ମିଗ୍‌ ‌ବିମାନ ଉଭୟ ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶ ପାଇଁ ବିପୁଳ ଅବଦାନ ରହିଛି। ମିଗ୍‌ ୨୭କୁ ପାଇଲଟ୍‌ମାନ‌େ ‘ବାହାଦୁର’ ବୋଲି ‌କହନ୍ତି। ମିଗ୍‌ ୨୭କୁ ଆଜି ‌ବିଦାୟ ଦେବା ସହ ଏହା କେବଳ ଭାରତରେ ଇତିହାସକୁ ଚାଲିଯିବ ନାହିଁ ବରଂ ସାରା ବିଶ୍ୱରେ ଏହା ଇତିହାସକୁ ଚାଲିଯିବ। ଏବେ ଅନ୍ୟ କୌଣସି ଦେଶ ମଧ୍ୟ ମିଗ୍‌-୨୭ ବ୍ୟବହାର କରୁ ନାହାନ୍ତି।

ଅଶୀ ଦଶକରେ ତତ୍‌କାଳୀନ ‘ସୋଭିଏତ୍‌ ଦେଶ’ରୁ ଖରିଦ କରାଯାଇଥିବା ଏହି ଲଢୁଆ ବିମାନଗୁଡ଼ିକ ଭାରତୀୟ ବାୟୁସେନାରେ ସାମିଲ ହୋଇ ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିଲା।

ସମ୍ବନ୍ଧିତ ଖବର