କେନ୍ଦ୍ରମନ୍ତ୍ରୀଙ୍କ ପାରଦର୍ଶିତା ନେଇ ଆଇଏଏନ୍‌ଏସ-ସି ଭୋଟର୍‌ ସର୍ଭେ: ରାଜନାଥ ପ୍ରଥମ ପସନ୍ଦ, ଗଡ଼କରୀ ଦ୍ବିତୀୟ

ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଶୀର୍ଷ ମନ୍ତ୍ରୀମାନଙ୍କୁ ନେଇ ହୋଇଥିବା ଏକ ସର୍ଭେରେ ରାଜନାଥ ସିଂହ ଲୋକଙ୍କ ପ୍ରଥମ ପସନ୍ଦ ରହିଛନ୍ତି। ସର୍ଭେ ମୁତାବକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଭୟ ସରକାର ସମର୍ଥକ ଏବଂ ସରକାର ବିରୋଧୀ ଭୋଟର୍‌ଙ୍କ ପ୍ରଥମ ପସନ୍ଦ। ସର୍ଭେ ଅନୁଯାୟୀ ଏନ୍‌ଡିଏ ସମର୍ଥକ ଏବଂ ଏନ୍‌ଡିଏ ବିରୋଧୀ ଭୋଟର୍‌ଙ୍କ ମତ ଆଧାରରେ ଶୀର୍ଷ ୫ ମନ୍ତ୍ରୀଙ୍କ ତାଲିକାରେ ସ୍ମୃତି ଇରାନୀ ଅଛନ୍ତି। ଆଇଏଏନ୍‌ଏସ୍‌-ସି ଭୋଟର୍‌ ଦ୍ବାରା ମୋଦୀ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ଏହି ସର୍ଭେ ବିଭିନ୍ନ ମାପଦଣ୍ଡ ଆଧାରରେ କରାଯାଇଥିଲା। ସର୍ଭେ ଅନୁଯାୟୀ ଅନୁଯାୟୀ ସରକାର ସମର୍ଥକ ଏବଂ ସରକାର ବିରୋଧୀ ଉଭୟ କ୍ଷେତ୍ରରେ ରାଜନାଥ ସିଂହ ମୋଦୀ ସରକାରର ସବୁଠାରୁ ଲୋକପ୍ରିୟ ମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି।

ସର୍ଭେ ମୁତାବକ ଏନ୍‌ଡିଏ ସମର୍ଥକମାନଙ୍କ ମଧ୍ୟରେ ରାଜନାଥ ସିଂହ ୮.୭ ସ୍କୋର ସହିତ ସବୁଠାରୁ ଆଗରେ ଥବା ବେଳେ ବିରୋଧୀ ଦଳ ସମର୍ଥକଙ୍କ ମଧ୍ୟରେ ବି ୭.୦୩ ସ୍କୋର୍‌ ହାସଲ କରି ଲୋକପ୍ରିୟତାରେ ଆଗରେ ଅଛନ୍ତି। ବିରୋଧୀ ଦଳ ସମର୍ଥକମାନେ ରାଜନାଥଙ୍କୁ ହିଁ ସବୁଠାରୁ ପାରଦର୍ଶୀ ମନ୍ତ୍ରୀ ଭାବେ ସ୍ବୀକାର କରିଛନ୍ତି। ମୁସ୍‌ଲିମ ସଂପ୍ରଦାୟରେ ମଧ୍ୟ ରାଜନାଥ ୬.୦୩ ସ୍କୋର୍‌ ହାସଲ କରି ପ୍ରଥମ ପସନ୍ଦ ବିବେଚିତ ହୋଇଛନ୍ତି। ରାଜନଥଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସରକାର ସମର୍ଥକମାନେ ଗଡ଼କରୀଙ୍କୁ ୮.୦୭ ସ୍କୋର ଏବଂ ସରକାର ବିରୋଧୀମାନେ ୬.୮୧ ସ୍କୋର୍‌ ଦେଇଛନ୍ତି। ସର୍ଭେରେ ଶୀର୍ଷ ୩ ମନ୍ତ୍ରୀଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅଛନ୍ତି। ସରକାରଙ୍କ ସମର୍ଥକଙ୍କ ମଧ୍ୟରେ ଅମିତ ଶାହ ୭.୭୯ ସ୍କୋର୍‌ ସହିତ ତୃତୀୟ ସ୍ଥାନରେ ଥିବା ବେଳେ ବିରୋଧୀ ଦଳ ସମର୍ଥକ ତାଙ୍କୁ ୫.୫୩ ସ୍କୋର୍‌ ଦେଇଛନ୍ତି। ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର ୭.୬୯ ସ୍କୋର୍‌ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ୭.୪୨ ସ୍କୋର୍‌ ସହ ପଂଚମ ସ୍ଥାନରେ ଅଛନ୍ତି। ସୂଚନା ପ୍ରସାରଣ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ‌ଷଷ୍ଠ (୭.୩୬ ସ୍କୋର୍‌ ) ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୧୮ ସ୍କୋର୍‌ ସହ ସପ୍ତମ ସ୍ଥାନରେ ଅଛନ୍ତି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ୭.୦୩ ସ୍କୋର୍‌ ହାସଲ କରି ଅଷ୍ଟମ ସ୍ଥାନରେ ଥିବା ବେଳେ ଗିରିରାଜ ସିଂହ ନବମ (୬.୯୫ ସ୍କୋର୍‌) ସ୍ଥାନରେ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ (୬.୮୫ ସ୍କୋର୍‌) ଦଶମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର