ମୁହଁ ଖୋଲିଲେ ମୋହସିନ: ମୁଁ ଅନ୍ଧାରରେ ଲଢ଼େଇ କରୁଛି

ନୂଆଦିଲ୍ଲୀ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍‌ଟର ତଲାସି କରିଥିବା ଆଇଏଏସ୍‌ ଅଫିସର୍‌ ମହମ୍ମଦ ମୋହସିନ୍‌ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିସନ ସୁପାରିସ କରିଛନ୍ତି। ତାଙ୍କୁ କର୍ଣ୍ଣାଟକ ସରକାରଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ମହମ୍ମଦ କହିଛନ୍ତି ଯେ ତାଙ୍କୁ ବିନା କାରଣରେ ଦଣ୍ଡ ମିଳୁଛି ଏବଂ ଏବଂ ସେ ଏବେ ଅନ୍ଧାରରେ ନିଜ ପାଇଁ ଲଢ଼େଇ କରୁଛନ୍ତି। ନିର୍ବାଚନ କମିସନଙ୍କ ନିୟମ ମୁତାବକ ମୁଁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍‌ଟର ଯାଞ୍ଚ କରିଥିଲି ଏବଂ ଏଥିପାଇଁ ଏସ୍‌ପିଜିର ଆଗୁଆ ଅନୁମତି ଆବଶ୍ୟକ ନଥିଲା ବୋଲି ସେ କହିଛନ୍ତି। ମହମ୍ମଦ ମୋହସିନଙ୍କୁ ନିଲମ୍ବନ କରାଯିବା ପରେ ବିରୋଧୀ ଦଳମାନେ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସେ କହିଛନ୍ତି ଯେ ତାଙ୍କୁ ସସପେଣ୍ଡ କରାଯାଇଥିଲେ ମଧ୍ୟ ଏସଂପର୍କରେ ତାଙ୍କୁ ରିପୋର୍ଟ ଦିଆଯାଇନାହିଁ। ସେ କହିଲେ, ‘ମୁଁ ନିୟମ ଅନୁଯାୟୀ ଦାୟିତ୍ବ ତୁଲାଇଛି। କୌଣସି ଭୁଲ କରିନାହିଁ। ‌କିନ୍ତୁ ଯେଉଁମାନେ ଭୁଲ କରିଛନ୍ତି ସେମାନଙ୍କୁ ବିନା ଦଣ୍ଡରେ ଛାଡ଼ି ଦିଆଯାଇଛି।’ ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ସ ଅନୁଯାୟୀ ମୋଦୀଙ୍କ ହେଲିକପଟର ଯାଞ୍ଚ କରାଯିବା ସହିତ ଏହାର ଭିଡିଓଗ୍ରାଫି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଉଥିବା ଏସପିଜି ଅଧିକାରୀମାନେ ମଧ୍ୟ ଯାଞ୍ଚର ବିରୋଧ କରିନଥିଲେ। ଏହି ଯାଞ୍ଚ ବେଆଇନ ହୋଇଥି‌େଲ ଏସପିଜି ଏହାର ବିରୋଧ କରିଥାନ୍ତା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ତାଙ୍କ ନିଲମ୍ବନ ଉପରେ କ୍ୟାଟ୍ ରୋକ୍ ଲଗାଇବାର କିଛି ସମୟ ପରେ ନିର୍ବାଚନ କମିସନ ତାଙ୍କ ଉପରୁ ନିଲମ୍ବନ ହଟାଇ ନେଇଥିଲେ। ତେବେ ଦାୟିତ୍ବରେ ଅବହେଳା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାକି କମିସନ କର୍ଣ୍ଣାଟକ ସରକାରଙ୍କୁ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର