୧୧୨  ଥର ରକ୍ତଦାନ କରି ସାରିଲେଣି ଏହି ଆଇଏଏସ୍‌  ଅଧିକାରୀ : ୧୮ ବର୍ଷ ବୟସରୁ ରକ୍ତଦାନ କରିଆସୁଛନ୍ତି 

ନୂଆଦିଲ୍ଲୀ:  ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିମାନଙ୍କ ଲାଗି ଏକ ବିରଳ  ଉଦାହରଣ ସାଜିଛନ୍ତି  ଆଇଏଏସ୍‌ ଅଧିକାରୀ ରଞ୍ଜନ୍‌ ଶୁକ୍ଳା । ଏହି ୫୬ ବର୍ଷିୟ ବରିଷ୍ଠ  ପ୍ରଶାସକ ପ୍ରତି ୩ ମାସରେ ରକ୍ତଦାନ କରିଥାଆନ୍ତି। ଇତିମଧ୍ୟରେ  ସେ ୧୧୨ ଥର  ରକ୍ତଦାନ କରି ସାରିଥିବା ଜଣାପଡ଼ିଛି। ୧୯୮୦ ମସିହାରେ ତାଙ୍କୁ ୧୮ ବର୍ଷ ବୟସ  ହୋଇଥିବା ବେଳେ ସେ ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ସେବେ ଠାରୁ ଏହି ବ୍ରତ ପାଳନରେ ସେ କେବେ ବି ଅବହେଳା କରି ନାହାନ୍ତି।
ରଞ୍ଜନ  ଶୁକ୍ଲା ନିଜେ ନିୟମିତ ରକ୍ତଦାନ କରିବା ସହ ତାଙ୍କର ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇ ଏହି କାର୍ଯ୍ୟରେ  ନିୟୋଜିତ କରିଛନ୍ତି। ବୋଧହୁଏ ସେ ଭାରତର ଏକ ମାତ୍ର ପ୍ରଶାସନିକ ଅଧିକାରୀ, ଯିଏ କି ୧୧୨ ଥର ରକ୍ତ ଦାନ କରିଛନ୍ତି। ମାତ୍ର ନିଜ ନାମକୁ ରେକର୍ଡ ବୁକ୍‌ରେ ପ୍ରବେଶ କରାଇବା ଦିଗରେ ସେ ବିଶେଷ ଆଗ୍ରହୀ ନୁହନ୍ତି। ୨୦୧୬ ମସିହାରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସକୁ ତାଙ୍କର ଏହି  ବିରଳ ଉପଲବ୍ଧିକୁ ସ୍ଥାନୀତ କରିବା ଲାଗି କେତେକ ହସ୍ପିଟାଲ୍‌ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ମାତ୍ର ଉତ୍ତର ପ୍ରଦେଶ ସରକାରଙ୍କ ଏହି ବରିଷ୍ଠ ସଚିବ ତାଙ୍କ ପିତାଙ୍କ ଅସୁସ୍ଥତା ଦର୍ଶାଇ ଏଡ଼ାଇ ଯାଇଥିଲେ।
ରକ୍ତଦାନ ପ୍ରସଙ୍ଗରେ ରଞ୍ଜନ ଶୁକ୍ଳା କହନ୍ତି, ‘ପ୍ରତି ଥର ରକ୍ତ ଦେବା ସମୟରେ ମତେ ବହୁତ ଉତ୍ସାହ ମିଳେ। କାରଣ ଏହା ଦ୍ୱାରା ମୁଁ ପ୍ରତି ଥର ଅନ୍ତତଃ  ୪ ଜଣଙ୍କୁ ସାହାଯ୍ୟ କରିପାରେ। ରକ୍ତରୁ ପ୍ଲାଜମା, ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଏବଂ ପ୍ଲେଟଲେଟସ୍‌ ମିଳିଥାଏ। ଏହା ମତେ ମାନସିକ ଶାନ୍ତି ଦେବା ସହିତ ଶାରୀରିକ ଭାବେ ଫିଟ୍‌ ରଖିଥାଏ।’
ସମ୍ବନ୍ଧିତ ଖବର