ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରଧାନ ସଚିବ ଅଶୋକ ଖେମ୍କାଙ୍କୁ ହରିୟାଣା ସରକାର ଅଭିଲେଖାଗାର ବିଭାଗକୁ ବଦଳି କରିଛନ୍ତି। ୨୮ ବର୍ଷ ଚାକିରି ଭିତରେ ଏହା ହେଉଛି ୫୩ତମ ବଦଳି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ୧୫ ମାସ ଅତିବାହିତ କରିବା ପରେ ଗତ ମାର୍ଚ ମାସରେ ତାଙ୍କୁ ବଦଳି କରାଯାଇଥିଲା।
ଅଶୋକ ଖେମ୍କା ବୁଧବାର ଦିନ ଟୁଇଟ୍ କରିଛନ୍ତି: ପୁଣି ବଦଳି ହେଲି। ପୁଣି ସେଇଠାକୁ ଫେରିଲି। ଗତକାଲି ସମ୍ବିଧାନ ଦିବସ ପାଳିତ ହେଲା। ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏବଂ ନିୟମକୁ ପୁଣି ଉଲ୍ଲଂଘନ କରାଗଲା। କେତେକ ଆନନ୍ଦ ହେବେ। ଅନ୍ତିମ ସ୍ଥଳକୁ ଆସିଗଲି। ସାଧୁତାର ଇନାମ୍ ଅପମାନ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ସ୍କାଇଲାଇଟ୍ ହସ୍ପିଟାଲିଟି ଏବଂ ପ୍ରମୁଖ ରିଅଲ ଇଷ୍ଟେଟ୍ ଡେଭ୍ଲପର୍ ଡିଏଲ୍ଏଫ୍ ମଧ୍ୟରେ ହୋଇଥିବା ଜମି ରାଜିନାମାର ମ୍ୟୁଟେସନ୍ ରଦ୍ଦ କରି ୨୦୧୨ରେ ଏହି ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପ୍ରଥମେ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲେ।