ମାଜିଷ୍ଟ୍ରେଟ୍‌ କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଲା ଜଣେ ଆଇଏଏସଙ୍କୁ, ୧ ମାସ ଜେଲ

ହାଇଦ୍ରାବାଦ: ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ଜଣେ ଆଇଏଏସ ଅଧିକାରୀଙ୍କ ପ୍ରତିଶୋଧପରାୟଣ ମାନସିକତାକୁ ଅତି ଗୁରୁତର ସହିତ ନେବା ସହିତ ହାଇଦ୍ରାବାଦ ହାଇକୋର୍ଟ ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କୁ ୧ ମାସ ଜେଲ ଦଣ୍ଡାଦେଶ ଦେବା ସହିତ ୨ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ହାଇଦ୍ରାବାଦ ହାଇକୋର୍ଟର ବିଚାରପତି ଜଷ୍ଟସ ପି ନବୀନ ରାଓ ଗତ ଶୁକ୍ରବାର ଦିନ ଆଇଏଏସ ଅଧିକାରୀ କେ ଶିବ କୁମାର ନାଇଡୁଙ୍କୁ ପ୍ରତିଶୋଧପରାୟଣ ମାନସିକତା ଓ କୋର୍ଟ ଆଦେଶ ଅବମାନନା ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ବିନାଦୋଷରେ ଜେଲ ଯାଇଥିବା ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ତେଲେଙ୍ଗାନା ସରକାରଙ୍କୁ ନିଦ୍ଦେଶ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ, ମେହେବୁବନଗରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏ ବୁଚେୟା ନିଜ ଜମିରେ ବିବାହ ଉତ୍ସବ ପାଇଁ ଏକ ହଲ ନିର୍ମାଣ କରୁଥିଲେ। ତେବେ ଏହା ବେଆଇନ ବୋଲି ଦର୍ଶାଇ କିଛି ଲୋକ ଜଏଣ୍ଟ କଲେକ୍ଟର ତଥା ଆଇଏଏସ ଅଧିକାରୀ ଶିବ କୁମାର ନାୟଡ଼ୁଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ନିଜ ମାଜିଷ୍ଟ୍ରେଟ୍‌ କ୍ଷମତା ବଳରେ ୨୦୧୭ ଜୁଲାଇ ୧ ତାରିଖ ଦିନ ଏହି ନିର୍ମାଣ ଉପରେ ଜଏଣ୍ଟ କଲେକ୍ଟର ଶିବ କୁମାର ନାୟଡ଼ୁ ରହିତାଦେଶ ଜାରି କରିଥିଲେ। ତେଣୁ ଏ ନେଇ ଏ ବୁଚେୟା ହାଇକୋର୍ଟରେ ଆବେଦନ କରିଥିଲେ ଓ ହାଇଦ୍ରାବାଦ ହାଇକୋର୍ଟ ୨୦୧୭ ମସିହା ଅଗଷ୍ଟ ୨୯ ତାରିଖ ଦିନ ଜଏଣ୍ଟ କଲେକ୍ଟରଙ୍କ ନିର୍ଦ୍ଦେଶାନାମା ଉପରେ ରହିତାଦେଶ ଜାରି କରି ଦେଇଥିଲେ। ଏହା ଆଇଏଏସ ଅଧିକାରୀ ଶିବକୁମାର ନାଇଡୁଙ୍କୁ ଅପମାନିତ କରିଥିଲା। ତେଣୁ ସେ ପୁଣି ଥରେ ନିଜ ମାଜିଷ୍ଟ୍ରେଟ୍‌ କ୍ଷମତା ବ୍ୟବହାର କରି ବୁଚେୟାଙ୍କୁ ୨ ମାସ ୨୯ ଦିନ ଜେଲରେ ରଖିବା ପାଇଁ ସର୍କଲ ଇନ୍‌ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜେଲ ଯାଇ କିଛି ଦିନ ପରେ ଜାମିନ୍‌ରେ ମୁକୁଳିବା ପରେ ଏ ବୁଚେୟା ହାଇକୋର୍ଟରେ ଆଇଏଏସ ଶିବକୁମାର ନାଇଡୁଙ୍କ ବିରୋଧରେ ଅଦାଲତ ଅବମାନନା ଓ ପ୍ରତିହିଂସାପରାୟଣ ହୋଇ କ୍ଷମତାର ଅପବ୍ୟବହାର ନେଇ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଜଷ୍ଟିସ ରାଓ ଆଇନ୍‌ ଉଲଂଘନ କରିଥିବାରୁ ଜଏଣ୍ଟ କଲେକ୍ଟର ତଥା ଆଇଏଏସ ଅଧିକାରୀ ଶିବ କୁମାର ନାୟଡ଼ୁଙ୍କୁ ଦୋଷୀ ବୋଲିି ଘୋଷଣା କରିବା ସହିତ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର