ବସ୍‌ ଦୁର୍ଘଟଣାରେ ଆହତ ପିଲାକୁ ଦେଖି କାନ୍ଦି ପକାଇଲେ ‘ଆଇଏଏସ୍‌’ ଅଫିସର୍‌ ରୋଶନ୍‌ ଜ୍ୟାକବ୍‌

ଲଖିମ୍‌ପୁର ଖେରି: ବୁଧବାର ଦିନ ଲଖିମ୍‌ପୁର ଖେରିରେ ଗୋଟାଏ ଘରୋଇ ବସ୍‌ ଓ ଗୋଟାଏ ମିନି ଟ୍ରକ୍ ସାମ୍ନାସାମ୍ନି ଧକ୍କା ଖାଇବା ପରେ ଆହତ ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କୁ, ବିଶେଷକରି ଗୋଟାଏ ଛୋଟ ପିଲାକୁ ଦେଖି ଜଣେ ମହିଳା ‘ଆଇଏଏସ୍‌’ ଅଧିକାରୀ ନ କାନ୍ଦି ରହିପାରି ନ ଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଆହତମାନେ ଚିକିତ୍ସାଧୀନ ଥିବା ଡାକ୍ତରଖାନା ଯାଇ ପରିସ୍ଥିତ ସମୀକ୍ଷା କରିବା ବେଳେ ଲକ୍ଷ୍ନୌ ଡିଭିଜ୍‌ନାଲ୍‌ କମିସନର୍‌ ‘ଆଇଏଏସ୍‌’ ରୋଶନ୍‌ ଜ୍ୟାକବ୍‌ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଥିଲେ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ପିଲାର ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଜ୍ୟାକବ୍‌ଙ୍କ ଆଖି ଛଳଛଳ ହୋଇଯାଇଥିଲା। ଲୁହଭରା ଆଖିରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ, କେହି ଏପର୍ଯ୍ୟନ୍ତ ପିଲାଟିର ସ୍ବାସ୍ଥ୍ୟ ପରୀକ୍ଷା କରି ନାହାନ୍ତି କାହିଁକି? ଜଣେ କହିଥିଲେ କିଛି ସମୟ ପୂର୍ବେ ତା’ର ସ୍ବାସ୍ଥ୍ୟ ପରୀକ୍ଷା ସରିଛି। କିନ୍ତୁ, ପିଲାଟି ଅଳିଚଳି ପାରୁ ନ ଥିବା ଦେଖି ସେ ପଚାରିଥିଲେ, ତା’ର କୌଣସି ହାଡ଼ ଭାଙ୍ଗିଯାଇନି ତ?

Image Courtesy of The Indian Express

ହିନ୍ଦୀ ଭାଷାରେ ଡାକ୍ତରଙ୍କୁ ସେ ପଚାରିଥିଲେ, ତା’ର କ’ଣ କିଛି ବିଶେଷ ଚିକିତ୍ସା ଆବଶ୍ୟକ। ସେ ଅଳିଚଳି ପାରୁନି। ହାଡ଼ ଭାଙ୍ଗିଯାଇଛି ବୋଧେ।

ସେ ଆହୁରି ମଧ୍ୟ କହିଥିଲେ ପିଲାଟି ଗରିବ ଘରର ହୋଇଥିବାରୁ ବଡ଼ ଡାକ୍ତରଖାନା ଯାଇ ଚିକିତ୍ସା କରାଇବାକୁ ତାଙ୍କ ପରିବାର ପାଖରେ ଅର୍ଥନାହିଁ। ତେଣୁ, ତାକୁ ଅନ୍ୟ ଡାକ୍ତରଖାନାକୁ ରେଫର୍ ନ କରି କୌଣସି ଡାକ୍ତରଙ୍କୁ ଏଠାକୁ ଡକାଇ ହେବ ନି।

ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଲୋକେ ‘ଆଇଏଏସ୍‌’ ରୋଶନ୍‌ ଜ୍ୟାକବ୍‌ଙ୍କୁ ‘ସଚ୍ଚା ସରକାରୀ ଅଧିକାରୀ’ କହୁଛନ୍ତି।

ସୂଚନା‌ଯୋଗ୍ୟ, ବୁଧବାର ଦିନ ୭୩୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଐରା ସେତୁ ଉପରେ ବସ୍‌ ଓ ଟ୍ରକ୍‌ ଧକ୍କା ଖାଇଥିଲେ। ଏହି ଦୁର୍ଘଟଣାରେ ୧୦ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୪୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ୧୨ଜଣଙ୍କୁ ଲକ୍ଷ୍ନୌସ୍ଥିତ ଟ୍ରମା ସେଣ୍ଟର୍‌କୁ ପଠାଇଦିଆଯାଇଛି। ବାକି ୨୯ଜଣ ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର