ଅନୁରାଗ ସହ କାମ କଲେ ୨୦୪୭ ଭାରତ ଅଧିକ ସୁଖୀ ହେବ: ରାଷ୍ଟ୍ରପତି

ସାକ୍ଷାତ୍‌ କଲେ ୨୦୨୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚ୍‌ର ୧୭୫ ଜଣ ଆଇଏଏସ୍‌ ଅଧିକାରୀ ରଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ସାକ୍ଷାତ୍ କରିଛନ୍ତି।

ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ।

୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚ୍‌ର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ। ଆଗ୍ରହ ଓ ଅଭିମାନର ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ ଓ ବିକଶିତ ୨୦୪୭ ସୁନିଶ୍ଚିତ କରିପାରିବେ। ୨୦୪୭କୁ ପରିବର୍ତ୍ତିତ ରୂପ ଦେବାପାଇଁ ସେମାନଙ୍କୁ ଅନୁରାଗ ଆଧୁନିକ ଓ ସେବାଭିତ୍ତିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଯୋଗୁଁ ଦେଶର ଦୂରଦୂରାନ୍ତରେ ପହଞ୍ଚିବା ଆଜି ଖୁବ୍ ସହଜ ହୋଇଛି। ପ୍ରତ୍ୟେକ ଲୋକସେବକ ତାଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ସବୁଠାରୁ ବଞ୍ଚିତ ଓ ଅବହେଳିତ ବ୍ୟକ୍ତି ନିକଟରେ ପହଞ୍ଚି ତା’ର ଜୀବନଧାରଣ ମାନ ଉନ୍ନତ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଲୋକସେବକମାନେ ତାଙ୍କ ନିଜ କର୍ମକ୍ଷେତ୍ରକୁ ମାନବିକ ବିକାଶ ସୂଚକାଙ୍କରେ ଯେପରି ସର୍ବଶ୍ରେଷ୍ଠ ହେବ ସେଥିପାଇଁ ଅହରହ ଚେଷ୍ଟା କରିବା ଆବଶ୍ୟକ। ବିଭିନ୍ନ ସୁବିଧାରୁ ବଞ୍ଚିତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣି ସେମାନେ ଗର୍ବିତ ହେବା ଦରକାର। ଯେଉଁମାନଙ୍କ ସେବା କରିବା ସେମାନଙ୍କ କର୍ତ୍ତବ୍ୟ, ସେମାନଙ୍କ ପ୍ରତି ସେମାନେ ସମ୍ବେଦନଶୀଳ ହେବା ଉଚିତ। ସେ କହିଥିଲେ ଯେ “ବସୁଧୈବ କୁଟୁମ୍ବକମ୍” ହେଉଛି ଭାରତୀୟ ଲୋକାଚାରର ଅଂଶ ବିଶେଷ। “ଭାରତମେବ କୁଟୁମ୍ବକମ୍” ସାରା ଭାରତ ମୋର ପରିବାର ସର୍ବଭାରତୀୟ ସେବାର ଲୋକସେବକମାନଙ୍କ ନିମନ୍ତେ ଏକ ଅଭିନ୍ନ ଅଂଶ ହେବା ଦରକାର ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର