ବୁଢ଼ୀ ମାଉସୀ ପାଇଁ ରାସ୍ତାକଡ଼ରେ ପରିବା ବିକ୍ରି କଲେ ଆଇଏଏସ ଅଧିକାରୀ

ଲଖନଉ: ରାସ୍ତାକଡ଼ରେ ନିକିତି ଧରି ପରିବା ବିକ୍ରି କଲେ ଆଇଏଏସ ଅଧିକାରୀ | ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଆଇଏଏସ ଅଧିକାରୀ ଜଣେ ବୁଢ଼ୀ ମାଉସୀଙ୍କ ପାଇଁ ପରିବା ବିକ୍ରି କରିଛନ୍ତି | ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଆଇଏଏସ ଅଧିକାରୀଙ୍କ ନାମ ହେଉଛି ଅଖିଳେଶ ମିଶ୍ର | ମିଳିଥିବା ସୂଚନା ମୁତାବକ ଆଇଏଏସ ଅଧିକାରୀ ଜଣକ ସରକାରୀ କାର୍ଯ୍ୟ ସାରି ପ୍ରୟାଗରାଜରୁ ଫେରୁଥିଲେ | ଆଉ ବାଟରେ ଜଣେ ବୁଢ଼ୀ ମାଉସୀ ପରିବା ବିକ୍ରି କରୁଥିବାର ଦେଖି କିଛି କ୍ଷଣ ପାଇଁ ଅଟକିଯାଇଥିଲେ |

ଏହି ସମୟରେ ବୁଢ଼ୀ ମାଉସୀ ଜଣକ ଅଖିଳେଶଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ନାତି ଟିକେ ଦୂରକୁ ଚାଲିଯାଇଛି, ସେ ନାତିକୁ ଆଣିକି ଆସିବା ପର୍ଯ୍ୟନ୍ତ ଦୋକାନ ଉପରେ ଟିକେ ନଜର ରଖନ୍ତୁ | ଆଉ ମାଉସୀଙ୍କ ଅନୁରୋଧ ରକ୍ଷା କରି ଅଖିଳେଶ ପରିବା କେତେ ମୂଲ୍ୟରେ ବିକ୍ରି କରୁଛନ୍ତି ବୋଲି ବୁଢ଼ୀ ମାଉସୀଙ୍କ ପାଖରୁ ବୁଝିଥିଲେ |

ବୁଢ଼ୀ ମାଉସୀ ନାତିକୁ ଖୋଜିବାକୁ ଯାଇଥିଲେ ଓ ଅଖିଳେଶ ପରିବା ଦୋକାନରେ ବସି ପରିବା ବିକ୍ରି କରିଥିଲେ | ଏହି ସମୟରେ ଅନେକ ଗ୍ରାହକ ଆସି ପରିବା କିଣିଥିଲେ ଓ ମାଉସୀ ଫେରିବା ପରେ ସେ ହିସାବ ଦେଇଥିଲେ | ତେବେ ଏହି ସମୟରେ ଆଇଏଏସ ଅଧିକାରୀଙ୍କ ଜଣେ ବନ୍ଧୁ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ | ଆଉ ଏବେ ସୋସିଆଲ ମିଡ଼ିଆ ୟୁଜର୍ସ ଆଇଏସଏସ ଅଧିକାରୀଙ୍କ ଏହି ବଦାନ୍ୟତା ପାଇଁ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର