ନୂଆଦିଲ୍ଲୀ: ଆଜି ବି ଚର୍ଚ୍ଚାରେ ଅଛନ୍ତି ସାଢ଼େ ୩ ଫୁଟ ଉଚ୍ଚର ଆଇଏଏସ୍ ଅଫିସର ଆରତୀ ଡୋଗ୍ରା। ୨୦୦୬ରେ ଆରତୀ ପ୍ରଥମ ପ୍ରୟାସରେ ୟୁପିଏସ୍ସିରେ ୫୬ ର଼୍ୟାଙ୍କ ରଖି ଚର୍ଚ୍ଚାରେ ରହିଥିଲେ।
ପିଲାଟି ଦିନରୁ ଆରତୀଙ୍କୁ ଉଚ୍ଚତା ପାଇଁ ତାଙ୍କ ସାଙ୍ଗସାଥୀମାନେ ଥଟ୍ଟା ପରିହାସ କରି ଆସୁଥିଲେ। ଆରତୀ ନିଜ ଉପରେ ଆତ୍ମବିଶ୍ବାସ ରଖି ସବୁ କଷ୍ଟ ଯନ୍ତ୍ରଣାକୁ ସହି ଯାଉଥିଲେ। କିଏ କ’ଣ କହୁଛି ସେସବୁ ଉପରେ ସେ ଧ୍ୟାନ ନଦେଇ ମନଦେଇ ପାଠପଢ଼ୁଥିଲେ। ୟୁପିଏସ୍ସି ଲାଗି ଦିନରାତି ଏକ କରି ସେ ପ୍ରସ୍ତୁତ ହେଉଥିଲେ। ୨୦୦୬ରେ ଆରତୀଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଯାଇଥିଲା। ପ୍ରଥମ ପ୍ରଚେଷ୍ଟାରେ ୨୦୦୬ରେ ୟୁପିଏସ୍ସିରେ ସେ ୫୬ ର଼୍ୟାଙ୍କ ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ।
ଆରତୀ କହନ୍ତି, ‘ଡେରାଡୁନର ଓ୍ବେଲହମ୍ ଗଲ୍ସ ସ୍କୁଲରୁ ସ୍କୁଲପଢ଼ା ଆରମ୍ଭ କରିଥିଲି। ପରେ ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଇକୋନୋମିକ୍ସରେ ଗ୍ରାଜୁଏସନ କରିଥିଲି। ପୋଷ୍ଟ ଗ୍ରାଜୁଏସନ ଲାଗି ଡେରାଡୁନ ଯାଇଥିବା ବେଳେ ମୁଁ ଡିଏମ୍ ମନିଷାଙ୍କୁ ଭେଟିଥିଲି। ସେବେଠାରୁ ହିଁ ମୁଁ ଆଇଏଏସ୍ ହେବି ବୋଲି ମନରେ ଗଣ୍ଠି କରି ଦେଇଥିଲି। ଆଉ ୟୁପିଏସ୍ସିର ପ୍ରସ୍ତୁତି ଆରମ୍ଭ କରିଲି। ୨୦୦୬ରେ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ହେଲି।’
ଇତିମଧ୍ୟରେ ଆରତୀ ବିକାନେର, ଆଜମେରର ଜିଲ୍ଲାପାଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ରାଜ୍ୟରୁ ଆରମ୍ଭ କରି ଜାତୀୟସ୍ତର ଯାଏ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ଆଇଏଏସ୍ ଅଫିସର ଆରତୀ ଯେଉଁ ବି କାମ କରିଥାଆନ୍ତି ନିଷ୍ଠାର ସହ କରନ୍ତି। ଯେଉଁଥିପାଇଁ ସେ ଆଇଏଏସ୍ ହେବା ଦିନ ଠାରୁ ଆଜିଯାଏଁ ଚର୍ଚ୍ଚାରେ ଅଛନ୍ତି।