ହିନ୍ଦୁ ମହାସଭା ନେତାଙ୍କୁ ନିର୍ମମ ହତ୍ୟା, ଆଇଏସ୍‌ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ

ଲ‌କ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ହିନ୍ଦୁ ମହାସଭା ନେତା ତଥା ହିନ୍ଦୁ ସମାଜ ପାର୍ଟିର ଜାତୀୟ ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ୪୫ ବର୍ଷୀୟ କମଳେଶଙ୍କୁ ଲକ୍ଷ୍ନୌର ଖୁସିଦାବାଗ୍‌ ଅଞ୍ଚଳ ସ୍ଥିତ ତାଙ୍କ ବାସଭବନ ନିକଟସ୍ଥ ଅଫିସ୍‌ରେ ଗଳା କାଟି ଏବଂ ଛାତିରେ ଛୁରି ଭୁସି ହତ୍ୟା କରାଯାଇଛି। ଏଏସ୍‌ପି ବିକାଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ଏହି ଅପରାଧ ଘଟାଇଥିବା ବ୍ୟକ୍ତିମାନେ ତିୱାରୀଙ୍କ ସହ ପରିଚିତ ଥିଲେ। ସେମାନେ ତିୱାରୀଙ୍କୁ କିଛି ଉପହାର ଦେବା ବାହାନାରେ ଆସି ତାଙ୍କୁ ହତ୍ୟା କରିଛନ୍ତି। ଛୁରିରେ ଆକ୍ରମଣ କରିବା ପୂର୍ବରୁ ସେମାନେ ତାଙ୍କୁ ଗୁଳି ମାରିଥିଲେ ବୋଲି ଜଣାପଡ଼ିଛି। ହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତିୱାରୀଙ୍କ ହତ୍ୟାକାଣ୍ଡ ସଂପର୍କରେ ତାଙ୍କ ପଡ଼ୋଶୀ ସୌରାଷ୍ଟ୍ର ଜିତ୍‌ ସିଂହ କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ସେ ସ୍ପଷ୍ଟ ଦେଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତିୱାରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଜଣ ସୁରକ୍ଷାକର୍ମୀ ଗତ ଦୁଇ ଦିନ ହେଲା ଆସୁନଥିଲେ ଏବଂ ଅନ୍ୟ ଜଣେ କନେଷ୍ଟବଳ ଘଟଣାସ୍ଥଳରେ ଥାଇ ମଧ୍ୟ ଶୋଇ ପଡ଼ିଥିଲେ। ତିୱାରୀଙ୍କ ହତ୍ୟା ଘଟଣାକୁ ବିରୋଧ କରି ତାଙ୍କ ସମର୍ଥକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆଇଏସ୍‌ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ
ଲକ୍ଷ୍ନୌ: ହିନ୍ଦୁ ମହାସଭା ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ହତ୍ୟା କରିବାକୁ ଆଇଏସ୍‌ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଥିଲେ। ୨୦୧୭ ମସିହାରେ ଗୁଜରାଟ ଏଟିଏସ୍‌ ଦ୍ବାରା ଗିରଫ ‌ହୋଇଥିବା ଉବେଦ୍ ଏବଂ କ୍ବାସିମ୍‌କୁ ଜେରା ସମୟରେ ସେମାନେ କହିଥିଲେ ଯେ କମଳେଶ ତିୱାରୀଙ୍କୁ ହତ୍ୟା କରିବାପାଇଁ ସେମାନଙ୍କୁ ନିର୍ଦ୍ଦେଶ ମିଳିଥିଲା। ଗୁଜରାଟ ଏଟିଏସ ଦ୍ବାରା ଦାଖଲ ହୋଇଥିବା ଏକ ଚାର୍ଜସିଟ୍‌ରୁ ମଧ୍ୟ ଜଣାପଡ଼ିଥିଲା ଯେ କମଳେଶ ତିୱାରୀଙ୍କୁ ହତ୍ୟା କରିବାପାଇଁ ବଡ଼ ‌ଷଡ଼ଯନ୍ତ୍ର ହୋଇଥିଲା। ବିଭିନ୍ନ ଗୁଇନ୍ଦା ରିପୋର୍ଟକୁ ଆଧାର କରି ସରକାର କମଳେଶଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର