ନୂଆଦିଲ୍ଲୀ: ଫେକୁଙ୍କ ଉପରେ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍। ମିଥ୍ୟା ଖବର ପ୍ରଚାର କରୁଥିବାରୁ ବ୍ଲକ ହେଲା ୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ୟୂଟ୍ୟୁବ ଚ୍ୟାନେଲ। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଥିବା ୟୂଟ୍ୟୁବ ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ ସରକାର। ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଏଭଳି କାମ କରୁଥିବା ଜଣାପଡ଼ିବା ପରେ ଏବେ ସେହି ଚ୍ୟାନେଲକୁ ବ୍ଲକ କରିଦିଆଯାଇଛି। ଏହା ବ୍ୟତୀତ ୩ଟି ଟ୍ୱିଟର, ଗୋଟିଏ ଫେସବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବସାଇଟକୁ ମଧ୍ୟ ବ୍ଲକ୍ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ଏକ ବିବୃତିରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲର ଲୋଗୋ ଏବଂ ଥମ୍ବନେଲ ବ୍ୟବହାର କରୁଥିଲେ। ଏହା ସହ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ର ବାହିନୀ, ଜମ୍ମୁ-କଶ୍ମୀର ଭଳି ବିଭିନ୍ନ ଭାରତ ବିରୋଧୀ ମିଥ୍ୟା ଖବର ପୋଷ୍ଟ କରୁଥିଲେ। ଅନ୍ୟ ଦେଶ ସହ ସଂପର୍କ ତିକ୍ତ କରିବା ପାଇଁ ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ ମିଥ୍ୟା ଖବର ଦେଖାଯାଉଥିଲେ।
I&B Ministry blocks 22 YouTube channels including 4 Pakistan-based YouTube news channels for spreading disinformation related to India’s national security, foreign relations, and public order.
3 Twitter accounts, 1 Facebook account & 1 news website also blocked pic.twitter.com/JtPC13MNHj
— ANI (@ANI) April 5, 2022
ଏହାପୂର୍ବରୁ ଜାନୁଆରି ମାସରେ ମୋଦୀ ସରକାର ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଥିଲେ। ଜାନୁଆରି ୨୦ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ,୨ ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ ୱେବସାଇଟ୍ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମସ୍ତ ଆକାଉଣ୍ଟଗୁଡିକ ପାକିସ୍ତାନରୁ ପରିଚାଳିତ ହେଉଥିବା ସହ ଭାରତ ବିରୋଧୀ ମିଥ୍ୟା ଖବରର ପ୍ରଚାର କରାଯାଉଥିଲା।