ଲକଡାଉନ ସମୟରେ ଗ୍ରାହକଙ୍କ ସଂଯୋଗ କାଟିପାରିବେ ନାହିଁ ଡିଟିଏଚ ଓ କେବୁଲ ଅପରେଟର : ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଏବେ ଲକଡାଉନ ଚାଲିଥିବାବେଳେ ଟେଲିଭିଜନର ଗୁରୁତ୍ୱ ବଢିଯାଇଛି । ଟେଲିଭିଜନ ହିଁ ଲୋକମାନଙ୍କୁ ଘରେ ବାନ୍ଧି ରଖୁଛି । ଏଥିପାଇଁ ସରକାରୀ ଚ୍ୟାନେଲ ଦୂରଦର୍ଶନ ପକ୍ଷରୁ ରାମାୟଣ, ମହାଭାରତ, ଚାଣକ୍ୟ ଆଦି ବିଭିନ୍ନ ଲୋକପ୍ରିୟ ସିରିଏଲ ପ୍ରସାରଣ କରାଯାଉଛି । ତେବେ ଲୋକମାନେ ଯେପରି ଘରେ ଥିବାବେଳେ ନିର୍ବିଘ୍ନରେ ଟିଭି ଦେଖିପାରିବେ ସେଥିପାଇଁ ସରକାର ଆଉ କେତେକ ପଦକ୍ଷେପ ନେଇଛନ୍ତି ।
ଲକଡାଉନ ସମୟରେ ଲୋକମାନଙ୍କୁ ସେବା ଯୋଗାଣ ଚାଲୁ ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭିନ୍ନ ଡିଟିଏଚ ସେବା ପ୍ରଦାନକାରୀ କମ୍ପାନି, କେବୁଲ ଟିଭି ଅପରେଟର, ମଲଟିପ୍ଲ ସିଷ୍ଟମ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି । ଲକଡାଉନ ସମୟରେ ଦେୟ ପୈଠ ଅଭାବରୁ ଗ୍ରାହକଙ୍କ ସଂଯୋଗ ନ କାଟିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି ।

କିଛିଦିନ ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ମଧ୍ୟ ଏହିପରି ଏକ ଗାଇଡଲାଇନ ଜାରି କରି କେବୁଲ ଅପରେଟରମାନେ ଯେପରି ନିର୍ବିଘ୍ନରେ ସେବା ଯୋଗାଇପାରିବେ ତାହାର ବ୍ୟବସ୍ଥା କରିବାକୁ କହିିଥିଲେ । ଲକଡାଉନ ସମୟରେ କେବୁଲ ଅପରେଟରମାନଙ୍କ କର୍ମଚାରୀମାନଙ୍କୁ ଯେପରି କୌଣସି ପରାଚାଳନାଗତ ସମସ୍ୟା ନହୁଏ ତାହା ନିଶ୍ଚିତ କରିବାକୁ ଏଥିରେ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ ଚଳିତ ଲକଡାଉନ ସମୟରେ ଟିଭି ପ୍ରସାରଣ ଓ କେବୁଲ ଟିଭି ସେବାକୁ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର