ପିଛା ଛାଡ଼ୁନି ବିବାଦ: ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବ ଗୁଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ: ସଂପ୍ରତି ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ ଭାବେ ଛୁଟିରେ ରହିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ ସରକାରଙ୍କ ନିର୍ଦ୍ଦେଶରେ ଗୁଇନ୍ଦା ନଜର ରଖାଯାଉଥିବା ନେଇ ଦେଶବ୍ୟାପି ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଗତକାଲି (ଗୁରୁବାର) ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ନିକଟରୁ ସନ୍ଦେହ ଜନକ ଅବସ୍ଥାରେ ଗୁଇନ୍ଦା ବ୍ୟୁରୋର ଚାରିଜଣ ଅଧିକାରୀଙ୍କୁ ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କାବୁକରି ଦିଲ୍ଲୀ ପୁଲିସ୍‌ର ଜିମା ଦେଇଥିଲେ। ଏହି ଘଟଣା ପରେ ଏବେ ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗୁଇନ୍ଦା ବ୍ୟୁରୋ (ଇଣ୍ଟେଲିଜେନ୍ସ ବ୍ୟୁରୋ) ନିଷ୍ପତ୍ତି ଗ୍ରହଣ କରିଥିବା ଜାଣିବାକୁ ମିଳିଛି। ଗୁଇନ୍ଦା ବ୍ୟୁରୋର ଏପ୍ରକାର ନିଷ୍ପତ୍ତିକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ବର୍ମାଙ୍କ ଘର ନିକଟରୁ ୪ ଜଣ ଅଜ୍ଞାତ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିଥିଲେ। କିନ୍ତୁ, ପରେ ଧରାପଡ଼ିଥିବା ୪ ଜଣ ଅଜ୍ଞାତ ବ୍ୟକ୍ତି ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀ ବୋଲି ଜଣାପଡ଼ିଥିଲା।


ପରବର୍ତ୍ତୀ ସମୟରେ ଏଘଟଣା ଉପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହା ଯାଇଥିଲା ଯେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜନଗହଳି ଅଞ୍ଚଳରେ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଆଇବି ର ଅଧିକାରୀ ନିୟମିତ ବ୍ୟବଧାନରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଇଁତରା ମାରିଥାନ୍ତି। ତେଣୁ, ଆଇବିର ଏକ ୟୁନିଟ୍‌ ଜନପଥଠାରେ ନିୟୋଜିତ ହୋଇଥିଲା। ଏହାପରେ ଗୁଇନ୍ଦା ବ୍ୟୁରୋର ଏହି ୪ ଅଧିକାରୀଙ୍କୁ ମୁକ୍ତ କରିଦିଆ ଯାଇଥିଲା। ଏବଂ ଏହିଠାରେ ହିଁ ଏହି ବିବାଦର ପରିସମାପ୍ତି ଘଟିଥିଲା।

କିନ୍ତୁ, ଆଜି ସନ୍ଧ୍ୟାରେ ହଠାତ୍‌ ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଗୁଇନ୍ଦା ବ୍ୟୁରୋର କର୍ମକର୍ତ୍ତାମାନଙ୍କୁ କାବୁ କଲାବେଳେ ସେମାନଙ୍କୁ ମାରଧର କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଘୋଷଣା କରିଛି ଗୁଇନ୍ଦା ବ୍ୟୁରୋ।

ସମ୍ବନ୍ଧିତ ଖବର