କାନ୍ଦାହାର ହାଇଜ୍ୟାକ୍ ମାଷ୍ଟରମାଇଣ୍ଡର ପୁଅ ଏବେ ରକ୍ଷା ମନ୍ତ୍ରୀ, ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଆଫଗାନ୍

କାବୁଲ: ଏବେ ଆତଙ୍କବାଦୀଙ୍କ ହାତରେ ଆଫଗାନିସ୍ତାନ । ଆଫଗାନିସ୍ତାନର କାମଚଳା ସରକାରରେ ଅଛନ୍ତି ରକ୍ତମୁଖା ଆତଙ୍କବାଦୀ । ଏମାନଙ୍କ ମଧ୍ୟରୁ ଜଣେ ପ୍ରତିରକ୍ଷା ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପଦରେ । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବକୁ ଦିଆଯାଇଛି ରକ୍ଷା ମନ୍ତ୍ରୀ ପଦ । ମୁଲ୍ଲା ୟାକୁବ ସେହି ମୁଲ୍ଲା ଉମରର ପୁଅ ଯିଏ ୧୯୯୯ ରେ କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଥିଲା।

୧୯୯୯ ଡିସେମ୍ବର ୨୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ଇଣ୍ଡିଆନ୍ ଏୟାରଲାଇନ୍ସର ଓଉ-୮୧୪ ବିମାନକୁ ଅପହରଣ କରିନେଇଥିଲେ । ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଇଂଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରି ଦିଲ୍ଲୀ ଆସୁଥିବା ଏହି ବିମାନକୁ ଅପହରଣ କରି କାନ୍ଦାହାରକୁ ନିଆଯାଇଥିଲା । ସେତେବେଳେ ଆଫଗାନିସ୍ତାନରେ ତାଲିବାନର ରାଜୁତି ଥିଲା । ଜୈଶ-ଏ ମହମ୍ମଦର ମୁଖ୍ୟ ମାସୁଦ ଅଜହର, ଅଲ ଉମର ମୁଜାହିଦ୍ଦିନର ନେତା ମୁସ୍ତାକ ଅହମଦ ଜରଗର ଓ ଅଲକାଏଦା ନେତା ଅହମଦ୍ ଉମର ସଇଦ୍ ସେ ସମୟରେ ଭାରତର ଜେଲରେ ବନ୍ଦୀ ଥିଲେ । ସେମାନଙ୍କୁ ମୁକ୍ତ କରିବାକୁ ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରିନେଇ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଥିଲେ । ଏହି ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ । ୧୭୬ ଜଣ ଯାତ୍ରୀଙ୍କୁ ଅପହରଣକାରୀମାନେ ୭ ଦିନ ଯାଏଁ ବନ୍ଧକ ରଖିଥିଲେ । ଏଥିରେ ଜଣେ ଯୁବକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ଆହତ କରିଥିଲେ ଆତଙ୍କବାଦୀ ।

indiatoday.in

ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, ଏହି ହାଇଜ୍ୟାକ୍ ଅପରେସନକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ସାହାଯ୍ୟରେ ସଫଳ କରାଯାଇଥିଲା । ଇଣ୍ଡିଆନ୍ ଏୟାରଲାଇନ୍ସର ଏହି ବିମାନ କାନ୍ଦାହାରରେ ପହଞ୍ଚିବା ପରେ ତାଲିବାନ ଆତଙ୍କବାଦୀମାନେ ଏହାକୁ ଚାରିପଟୁ ଘେରାଉ କରିଥିଲେ । ପ୍ରଥମେ ଅପହରଣକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଭାରତୀୟ ସେନା ଚେଷ୍ଟା କରିଥିଲେ ବି ତାଲିବାନ ଓ ମୁଲ୍ଲା ଉମର ଏହାକୁ ଅନୁମତି ଦେଇନଥିଲେ । ଏବେ ଏହି ମୁଲ୍ଲା ଉମରର ପୁଅ ମୁଲ୍ଲା ମହମ୍ମଦ ୟାକୁବ ଆଫଗାନିସ୍ତାନରେ ନବଗଠିତ କାମଚଳା ସରକାରରେ ହୋଇଛି ରକ୍ଷା ମନ୍ତ୍ରୀ । ଯେଉଁଠି ଏପରି ଆତଙ୍କବାଦୀଙ୍କୁ ଦେଶର ରକ୍ଷା ଦାୟିତ୍ୱ ଦିଆଯାଇଛି, ସେଠିକାର ନାଗରିକଙ୍କୁ କିଭଳି ସୁରକ୍ଷାକୁ ମିଳିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ସମ୍ବନ୍ଧିତ ଖବର