ନୂଆଦିଲ୍ଳୀ: ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନା ଏୟାର୍ ଷ୍ଟ୍ରାଇକ୍ କରିବା ପରେ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସୁଛି। ଜାଣିବାକୁ ମିଳିଛି ଯେ ଜୈଶ୍-ଇ-ମହମ୍ମଦର କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରର ଭାଇ ମୁଫ୍ତି ଅବଦୁଲ ରଉଫ୍ ଅସଗର୍ ୧୯୯୯ ମସିହାରେ ଆଇସି-୮୧୪ ଏୟାର ଇଣ୍ଡିଆ ବିମାନକୁ ଅପହରଣ ଷଡ଼ଯନ୍ତ୍ର କରିଥିଲା। ସେତେବେଳେ ତା’ର ବୟସ ଥିଲା ମାତ୍ର ୨୪ ବର୍ଷ। ଏବେ ସେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦରେ ପରିଚାଳନା ମୁଖ୍ୟ ଥିବା ଜାଣିବାକୁ ମିଳିଛି। ଗତକାଲି ପାକିସ୍ତାନ ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି।
ସେବେଠାରୁ ଅସଗର୍ର ନାମ ଭାରତ ୫ ‘ମୋଷ୍ଟ୍ ଓ୍ଵାଣ୍ଟେଡ୍’ ଆତଙ୍କବାଦୀଙ୍କ ନାମରେ ସାମିଲ .ହୋଇଛି। ସେ ଭାରତରେ ବହୁ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ରହିଛି। ୨୦୦୧ ମସିହାରେ ଜମ୍ମୁ-କଶ୍ମୀରର ବିଧାନସଭା ଓ ପାର୍ଲାମେଣ୍ଟ୍ ଆକ୍ରମଣ, ୨୦୧୬ ମସିହାରେ ପଠାନକୋଟ ଏୟାରବେସ୍ ଆକ୍ରମଣ, ନାଗରୋତା ଏବଂ କାଥୁଆ କ୍ୟାମ୍ପ୍ ଆକ୍ରମଣ ଓ ନିକଟରେ ହୋଇଥିବା ପୁଲଓ୍ଵାମା ଆକ୍ରମଣରେ ଅସଗର୍ର ସଂପୃକ୍ତି ଥିବା ସୂଚନା ମିଳିଛି। ଦାବି ହୋଇଛି ଯେ ଅସଗର୍ର ନିର୍ଦ୍ଦେଶରେ ହିଁ ହୋଇଥିବା ପୁଲଓ୍ଵାମା ଆକ୍ରମଣ ହୋଇଛି। ଭାଇ ଆଝାରର ଅନୁପସ୍ଥିତରେ ଜୈଶ୍-ଇ-ମହମ୍ମଦର ସମସ୍ତ ନିଷ୍ପତ୍ତି ଅସଗର୍ ନେଇଥାଏ।