ଆନ୍ତର୍ଜାତିକ ସୌର ସଂଗଠନ ସହ ଆଇସିଏଓର ବୁଝାମଣା

୨୦୩୦ ସୁଦ୍ଧା କାର୍ବନ ଉତ୍ସର୍ଜନ ୩୩-୩୫ ପ୍ରତିଶତ ଯାଏ ହ୍ରାସ ଲକ୍ଷ୍ୟ

ନୂଆଦିଲ୍ଲୀ: ମଣ୍ଟ୍ରିଲଠାରେ ଆୟୋଜିତ ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ)ର ୪୨ତମ ଅଧିବେଶନ ପୃଷ୍ଠଭୂମିରେ ସେପ୍ଟେମ୍ବର ୨୬ରେ ଆୟୋଜିତ ଏକ ସମାରୋହରେ, ଆନ୍ତର୍ଜାତିକ ସୌରସଂଗଠନ ତଥା ଆଇସିଏଓ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ବେସାବରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଫ୍ରାନ୍ସର ପରିବହନ ମନ୍ତ୍ରୀ ମିସିୟୋ କ୍ଲେମେଣ୍ଟ ବ୍ୟୁନ, ଆଇସିଏଓ ପରିଷଦର ଅଧ୍ୟକ୍ଷ ସାଲଭାଟୋର ସାଶିତାନୋଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଆଇସିଏଓର ମହାସଚିବ ଜୁଆନ୍‌ କାର୍ଲୋସ ସାଲାଜାର ଏବଂ ଆଇଏସ୍‌ଏର ସଂଚାଳନ ପ୍ରମୁଖ ଯୋଶୁଆ ୱେକ୍ଲିଫ୍‌ ସ୍ୱାକ୍ଷର କରିଛନ୍ତି।

ଶ୍ରୀ ସିନ୍ଧିଆ ଯେତେବେଳେ ମେ, ୨୦୨୨ରେ ମଣ୍ଟ୍ରିଲ୍ ଗସ୍ତ କରିଥିଲେ ସେହି ସମୟରେ ଆଇସିଏଓର ଅଧ୍ୟକ୍ଷ ସହିତ ସାକ୍ଷାତ ଆଲୋଚନା ସମୟରେ ସେ କହିଥିଲେ ଯେ ଆଇସିଏଓ ଏବଂ ଆଇଏସ୍‌ଏ ପରସ୍ପରର ସହଭାଗୀ ସଂଗଠନ ହେବା ଉଚିତ। ମାତ୍ର ଚାରିମାସ ଅବଧି ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ସୃଷ୍ଟି ହୋଇଥିଲା ଏବଂ ଏହାକୁ ଏବେ ଚୂଡ଼ାନ୍ତ ରୂପ ପ୍ରଦାନ କରାଯାଇଛି। ଏହା ପରେ ଭାରତ ଏବଂ ଫ୍ରାନ୍ସର ମନ୍ତ୍ରୀମାନଙ୍କ ଉପସ୍ଥିରେ ଆଇଏସ୍‌ଏ ଏବଂ ଆଇସିଏଓ ହସ୍ତାକ୍ଷରରେ ସ୍ୱାକ୍ଷର କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ୟାରିସ୍‌ରେ କୋପ୍ ୨୧ସମ୍ମିଳନୀ ଅବସରରେ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାନସିସ୍‌ ହଲାଣ୍ଡ ଉତ୍ସାହ ପ୍ରଦାନ କରିଥିଲେ ଏବଂ ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ଏହା ଯଥେଷ୍ଟ ମାତ୍ରାରେ ସହାୟକ ହୋଇଥିଲା।

ଆଇଏସ୍‌ଏ ଏଭଳି ଏକ ସଂଗଠନ, ଯେଉଁଥିରେ ୧୨୧ଟି ଦେଶ ଅଦ୍ୟାବଧି ସ୍ୱାକ୍ଷରକରିଛନ୍ତି। ସେଥି ମଧ୍ୟରେ ୩୨ଟି ସହଭାଗୀ ସଂଗଠନ ମଧ୍ୟ ସାମିଲ। ତନ୍ମଧ୍ୟରେ ମିଳିତ ଜାତିସଂଘ ମଧ୍ୟ ରହିଛି। ଆଇଏସ୍‌ଏ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ସୌରଶକ୍ତିର ଉପଯୋଗ କରିବା ଦିଗରେ କାର୍ଯ୍ୟ କରିଆସୁଛି। ଭାରତ କୋପ୍ ୨୬ରେ ସଂକଳ୍ପ ଗ୍ରହଣ କରିଥିଲା ଯେ ୨୦୭୦ ମସିହା ସୁଦ୍ଧା ଏହା ନେଟ୍‌ଜିରୋ କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ହାସଲ କରିବ। ଭାରତ ଏହା ମଧ୍ୟ ସଂକଳ୍ପ ଗ୍ରହଣ କରିଥିଲାଯେ ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପିତ କରିବ ତଥା ୨୦୩୦ ସୁଦ୍ଧା କାର୍ବନ ଉତ୍ସର୍ଜନ ମାତ୍ରାରେ ୩୩-୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟାଇବ। ଆଇସିଏଓ ବିମାନ ଚଳାଚଳ କ୍ଷେତ୍ରରେ କାର୍ବନ ଉତ୍ସର୍ଜନକୁ ହ୍ରାସ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏହି ରଚନାତ୍ମକ ପ୍ରୟାସକୁ ଦୃଷ୍ଟିରେ ରଖି ଆଇଏସ୍‌ଏ ଏବଂ ଆଇସିଏଓ ମଧ୍ୟରେ ଏବେ ବୁଝାମଣାପତ୍ର ଜରିଆରେ ହେବାକୁ ଥିବା ସହଭାଗିତା ସମୟୋଚିତଭାବେ ସୁଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର