ଚାଷୀଙ୍କ ଆୟ ଦ୍ବିଗୁଣିତ ସଂକ୍ରାନ୍ତରେ ଆଇସିଏଆର୍‌ ରିପୋର୍ଟ: କୃଷି ଗବେଷଣା, ନିବେଶକୁ ଓଡ଼ିଶାର ପ୍ରାଧାନ୍ୟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ମସିହା ସୁଦ୍ଧା ଦେଶର ଚାଷୀମାନଙ୍କର ଆୟକୁ ଦ୍ବିଗୁଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ନିକଟରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କେନ୍ଦ୍ର ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କରାଯାଇଥିବା ରଣନୀତି ସମ୍ପର୍କରେ ଉ‌େଲ୍ଲଖ କରାଯାଇଛି। ଓଡ଼ିଶାର ଚାଷୀମାନଙ୍କ ଆୟ କିଭଳି ଦ୍ବିଗୁଣିତ ପାଇଁ ରହିଥିବା ରଣନୀତି ବା ଯୋଜନା ମଧ୍ୟ‌ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଏଥିରେ ମୁଖ୍ୟତଃ କୃଷି ଗବେଷଣା ଓ ବିକାଶ ପାଇଁ ନିବେଶକୁ ପ୍ରାଧାନ୍ୟ ଦିଆଯାଇଛି।

ରାଜ୍ୟମାନଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ଭିତ୍ତିକରି ଆସିଏଏର୍‌ ୬୯୫ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି ଯେ, ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ହାରାହାରି କୃଷି ଉତ୍ପାଦନ ଓ ଚାଷୀମାନଙ୍କର ଆୟ କମ୍ ରହିଛି। ରିପୋର୍ଟରେ ଓଡ଼ିଶାକୁ ୧୦ଟି କୃଷି ଜଳବାୟୁ କ୍ଷେତ୍ର (ଆଗ୍ରୋ କ୍ଲାଇମେଟିକ୍ ଜୋନ୍‌)ରେ ବିଭକ୍ତ କରାଯାଇଛି । ରାଜ୍ୟରେ ସମୁଦାୟ ଚାଷଉପଯୋଗୀ ଜମି ହେଉଛି ୬୧.୫୦ ଲକ୍ଷ ହେକ୍ଟର। ସେଥିମଧ୍ୟରୁ ୨୯.୧୬ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଜମି ଓ ୧୧.୧୫ ଲକ୍ଷ ହେକ୍ଟର ତଳୁଆ ଜମି ରହିଛି। ତେବେ, ୮୪ ପ୍ରତିଶତ ଛୋଟ ଓ କ୍ଷୁଦ୍ର ଚାଷୀମାନଙ୍କର ରାଜ୍ୟ କୃଷି ସମ୍ପଦ ଉପରେ ସୀମିତ ଅଂଶୀଦାର ରହିଛି। ଅସୁରକ୍ଷିତ (ଭଲ୍‌ନେରେବୁଲ) କୃଷି ଗୋଷ୍ଠୀ ପାଇଁ ଶିକ୍ଷା ମଧ୍ୟ ଚିନ୍ତାର କାରଣ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ରାଜ୍ୟର ପ୍ରମୁଖ ଫସଲଗୁଡ଼ିକ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ନୀତି ନିର୍ଦ୍ଧାରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶେଷକରି, ଫସଲ ଉତ୍ପାଦନର ପରିମାଣକୁ ବୃଦ୍ଧି କରିବା ପାଇଁ ଜଳ, ମଞ୍ଜି, ସାର, ରସାୟନ ସହିତ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବା ସମ୍ପର୍କରେ ସୁପାରିଶରେ କୁହାଯାଇଛି। ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅର୍ଥନୈତିକ, ବୈଷୟିକ ଭିତ୍ତିଭୂମି ଉପରେ ମଧ୍ୟ ଅଗ୍ରାଧିକାର ଦିଆଯାଇଛି।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟକୁ କୃଷି ଗବେଷଣା ଓ ବିକାଶ ପାଇଁ ନିବେଶକୁ ବୃଦ୍ଧି କରିବା ପାଇଁ ସୁପାରିଶ କରାଯାଇଛି। ଏତଦ୍‌ବ୍ୟତୀୟ ଓଡ଼ିଶା ପକ୍ଷରୁ ଚାଷୀମାନଙ୍କ ଆୟର ବୃଦ୍ଧିକୁ ନେଇ ଆସୁଥିବା ପ୍ରତିବନ୍ଧକ ଗୁଡ଼ିକ ଦୂର କରିବା ପାଇଁ କୃଷି ଜଳବାୟୁ କ୍ଷେତ୍ର ସମ୍ପର୍କିତ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ବିକଶିତ କରାଯାଇଥିବା ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିସହିତ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇଁ ବଜାର ସମ୍ପର୍କ ପ୍ରତିଷ୍ଠା- ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି, ସବ୍‌ସିଡିର ବୃଦ୍ଧି, ଫସଲ ପାଇଁ ବୀମା କଭରେଜ୍, ଲାଇନ ବିଭାଗ ଓ ବିକାଶ ସଂସ୍ଥାମାନଙ୍କ ଦ୍ୱାରା ଜ୍ଞାନକୌଶଳକୁ ଉତ୍ସାହିତ କରିବା ତଥା ବଜାର, ଷ୍ଟୋରେଜ୍ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ଭଳି ଭିତ୍ତିଭୂମିଗୁଡ଼ିର ବିକାଶ ଓ ଆଧୁନିକୀକରଣର କ୍ରିୟାନ୍ୱୟନ ଉପରେ ଓଡ଼ିଶା ଗୁରୁତ୍ୱ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର