ଓ୍ବେଷ୍ଟଇଣ୍ଡିଜ୍-ଆମେରିକା ବଦଳରେ ଇଂଲଣ୍ଡରେ ହୋଇପାରେ ୨୦୨୪ ଟି-୨୦ ବିଶ୍ବକପ୍

ନୂଆଦିଲ୍ଲୀ : ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ମିଳିତ ଭାବେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ୱକପର  ପ୍ରସ୍ତୁତିକୁ ନେଇ ଆଇସିସି ସନ୍ତୁଷ୍ଟ ନାହିଁ  । କାରଣ ଟୁର୍ଣ୍ଣାମେଣ୍ଟ ହେବାକୁ ଆଉ ମାତ୍ର ୧୨ ମାସ ବାକି ଥିବା ବେଳେ ଆମେରିକାରେ ଏପର୍ଯ୍ୟନ୍ତ ଗୋଟିଏ ବି ଷ୍ଟାଡିୟମ ନିର୍ମାଣ ହୋଇପାରିନାହିଁ । ଏଣୁ ଆୟୋଜକ ଦେଶ ପରିବର୍ତ୍ତନ ପାଇଁ ଆଇସିସି ଚିନ୍ତା କରୁଛି । ଯଦି ଆୟୋଜକରେ ପରିବର୍ତ୍ତନ ହୁଏ ତେବେ ବିଶ୍ୱକପରେ ଆମେରିକାକୁ ମଧ୍ୟ ଖେଳାଯିବ ନାହିଁ । କାରଣ ଆୟୋଜକ ଭାବେ ଆମେରିକାକୁ  ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ମିଳିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୪ ଟି-୨୦ ବିଶ୍ୱକପ୍ ଆୟୋଜନ ପାଇଁ ଆଇସିସି ଇଂଲଣ୍ଡକୁ ଅନୁରୋଧ କରିପାରେ। ନଭେମ୍ବର ୨୦୨୧ରେ ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡକୁ ମିଳିତ ଭାବେ ୨୦୩୦ ଟି-୨୦ ବିଶ୍ବକପ୍ ର ଦାୟିତ୍ୱ ଦିଆଯାଇଥିଲା । ଏଭଳି ସ୍ଥିତିରେ ଇଂଲଣ୍ଡକୁ ୨୦୨୪ର ଟି-୨୦ ବିଶ୍ବକପ୍ ଆୟୋଜନ ପାଇଁ କୁହାଯାଏ, ତେବେ ୨୦୩୦ ଟି-୨୦ ବିଶ୍ବକପ ଦାୟିତ୍ବ ଆମେରିକାକୁ ମିଳିପାରେ । ଏପରି ହେଲେ ଆମେରିକାକୁ ଭିତ୍ତିଭୂମି ନିର୍ମାଣ ପାଇଁ ଯଥେଷ୍ଟ ସମୟ ମିଳିବ ।

ଟି-୨୦ ବିଶ୍ବକପ ପ୍ରତି ୨ ବର୍ଷରେ ଥରେ ହୋଇଥାଏ । ଗତ ବର୍ଷ ହୋଇଥିବା ଟି-୨୦ ବିଶ୍ବକପରେ ଇଂଲଣ୍ଡ ଦଳ ଚାମ୍ପିଅନ ହୋଇଥିଲା ।

 

ସମ୍ବନ୍ଧିତ ଖବର