ନୂଆଦିଲ୍ଲୀ: ଏସିଆ କପ୍ରେ ପାକିସ୍ତାନ ସହ ଭାରତ ହାତ ନମିଶାଇବା ଘଟଣା ନେଇ ପୁଣି ଦୁଇ ଦେଶ ମଧ୍ୟରେ ବିବାଦ ଘନେଇଛି। ଏସିଆ କପରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପାକିସ୍ତାନର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରତ୍ୟାଖ୍ୟାନ କରିଛି। ପାକିସ୍ତାନ ଧମକ ଦେଇଥିଲା ଯେ ଯଦି ପାଇକ୍ରଫ୍ଟଙ୍କୁ ହଟା ନ ଯାଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବେ।
ଆଇସିସି ଏହି ଘଟଣାର ତଦନ୍ତ କରିବା ପରେ ପିସିବିକୁ ନିଷ୍ପତ୍ତି ଜଣାଇଛି। ପ୍ରକାଶ ଥାଉ କି ଭାରତୀୟ ଦଳ ରବିବାର ଏସିଆ କପ୍ ମୁକାବିଲାରେ ପହଲଗାମ ଆକ୍ରମଣର ସାଙ୍କେତିକ ବିରୋଧ କରିବ ବୋଲି ପୂର୍ବରୁ ସୂଚନା ରହିଥିଲା। ଟସ୍ ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଗାଙ୍କ ସହ ହାତ ନ ମିଳାଇ ଏବଂ ସୌଜନ୍ୟମୂଳକ କଥାବାର୍ତ୍ତା ନହୋଇ ଏହାର ଛୋଟିଆ ଝଲକ ଦେଇଥିଲେ। ଛକା ମାରି ଭାରତର ବିଜୟ ମୁଣ୍ଡି ମାରିବା ପରେ ସୂର୍ଯ୍ୟକୁମାର ଏବଂ ନନ୍ଷ୍ଟ୍ରାଇକର ଶିବମ ଦୁବେଙ୍କ ସହ ସିଧାସଳଖ ପ୍ୟାଭିଲିୟନ ଫେରିଥିଲେ। ପାକିସ୍ତାନୀ ଖେଳାଳିଙ୍କ ସହ ହାତମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ। ଅନ୍ୟ ଭାରତୀୟ ଖେଳାଳିମାନେ ମଧ୍ୟ ପରମ୍ପରା ବିପରୀତ ଡ୍ରେସିଂ ରୁମ୍ ତଳକୁ ଆସି ପାକିସ୍ତାନ ଦଳକୁ ଭେଟି ନଥିଲେ କିମ୍ବା ହାତ ମିଳାଇ ନଥିଲେ। ବରଂ ସୂର୍ଯ୍ୟ ଓ ଶିବମ ପହଞ୍ଚିବା ପରେ କାଳେ କେଉଁ ପାକିସ୍ତାନୀ ଖେଳାଳି ନିଜ ତରଫରୁ ହାତମିଳାଇବାକୁ ଆସିଯିବେ, ସେଥିପାଇଁ ତୁରନ୍ତ ଡ୍ରେସିଂ ରୁମ୍ର ଦ୍ବାର ବନ୍ଦ କରି ଦେଇଥିଲେ। ଏଭଳି ଦୃଶ୍ୟ ପାକିସ୍ତାନରେ ଝଡ଼ ସୃଷ୍ଟି କରିଛି। ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କ ସହ ପାକିସ୍ତାନର ବହୁ କ୍ରିକେଟ୍ ବିଶେଷଜ୍ଞ ଏଥିଲାଗି ଭାରତୀୟ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଅନ୍ତର୍ଜାତୀୟ ନିୟମ ତଥା ବାଧ୍ୟବାଧତାରେ ମ୍ୟାଚ୍ ଖେଳିଥିଲେ ମଧ୍ୟ ହାତ ମିଳାଇବା ନମିଳାଇବା ସଂପୂର୍ଣ୍ଣ ଉପରେ ଭାରତୀୟ ଖେଳାଳିଙ୍କ ଉପରେ ନିର୍ଭର କରୁଥିଲା ବୋଲି ଭାରତୀୟ କ୍ରିକେଟ୍ ବିଶେଷଜ୍ଞମାନେ ଏହାର ଉତ୍ତର ଦେବାକୁ ଯାଇ ପ୍ରକାଶ କରିଥିଲେ।