ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ପୁଣି ଏକ ନମ୍ବର

ଆଣ୍ଡରସନ ଦ୍ବିତୀୟକୁ ଖସିଲେ, କୋହଲି ୭ ସ୍ଥାନ ଉଠିଲେ

ଦୁବାଇ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ଭାରତୀୟ ସ୍ପିନ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ପୁଣି ଥରେ ନିର୍ବିବାଦୀୟ ଭାବେ ଏକାକୀ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ବୋଲର ହୋଇଛନ୍ତି। ପ୍ରଥମ ଦୁଇ ଟେଷ୍ଟ୍‌ର ସଫଳତା ବଳରେ ଅଶ୍ବିନ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ଙ୍କୁ ଗାଦିଚ୍ୟୁତ କରି ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ। ତେବେ ଭାରତ ହାରିଥିବା ତୃତୀୟ ଟେଷ୍ଟ୍‌ ପରେ ଅଶ୍ବିନ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ରେଟିଂ ପଏଣ୍ଟରେ ଆଣ୍ଡରସନଙ୍କ ସହ ସମାନ ରହିବାରୁ ଯୁଗ୍ମ ଭାବେ ଏକ ନମ୍ବର ଆସନ ପାଇଥିଲେ। ହେଲେ ଅହମଦାବାଦରେ ଅମୀମାଂସିତ ରହିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରେ କମାଲ ଯୋଗୁଁ ଅଶ୍ବିନ ପୁନର୍ବାର ଏକାକୀ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଅଶ୍ବିନ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୧୭.୨୮ ହାରରେ ମୋଟ ୨୫ ୱିକେଟ୍‌ ଅକ୍ତିଆର କରିଥିଲେ।

ଫଳରେ ବୁଧବାର ପ୍ରକାଶିତ ସାନି ମାନ୍ୟତା ତାଲିକାରେ ତାଙ୍କ ରେଟିଂ ପଏଣ୍ଟ୍‌ ଆଣ୍ଡରସନ୍‌ଙ୍କଠୁ ୧୦ ଉପରେ ରହିଛି। ଅଶ୍ବିନଙ୍କ ରେଟିଂ ପଏଣ୍ଠ ୮୬୯ ରହିଥିଲା ବେଳେ ଆଣ୍ଡରସନ ୮୫୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି। ଯାହା ଫଳରେ ଅଶ୍ବିନ ଏକାକୀ ବିଶ୍ବ ମାନ୍ୟତାର ସର୍ବଶ୍ରେଷ୍ଠ ଟେ‌ଷ୍ଟ ବୋଲର ହୋଇଯାଇଛନ୍ତି। ଆହତ ଯୋଗୁଁ କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଟେଷ୍ଟ ବୋଲରଙ୍କ ମାନ୍ୟତାରେ ସପ୍ତମ ସ୍ଥାନ (୭୮୦)କୁ ଖସି ଯାଇଥିଲା ବେଳେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୨୨ ୱିକେଟ୍‌ ଦଖଲ କରିଥିବା ଅଶ୍ବିନଙ୍କ ସାଥୀ ସ୍ପିନର ରବୀନ୍ଦ୍ର ଜାଦେଜା (୭୫୩) ନବମ ସ୍ଥାନ ବଜାୟ ରଖିଛନ୍ତି। ଏହି ୩ ଭାରତୀୟ ହିଁ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ-୧୦ ମଣ୍ଡନ କରିଛନ୍ତି। ଅନ୍ୟତମ ଭାରତୀୟ ସ୍ପିନର ଅକ୍ଷର ପଟେଲ ବୋଲରଙ୍କ ମାନ୍ୟତାରେ ୬ ସ୍ଥାନ ଲମ୍ଫ ମାରି ୨୮ରେ ପହଞ୍ଚିଛନ୍ତି।

ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଏବଂ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଶୃଙ୍ଖଳା ଶେଷ ହେବା ପରେ ଆଇସିସି ମାନ୍ୟତାରେ ଏକାଧିକ ଅଦଳବଦଳ ହୋଇଛି। ଏହିକ୍ରମରେ ଅଷ୍ଟ୍ରେଲିଆ ବିପକ୍ଷ ଅହମଦାବାଦ ଟେଷ୍ଟ୍‌ରେ ଚିତାକର୍ଷକ ଶତକ ହାସଲ କରିଥିବା ବିରାଟ କୋହଲି ୭ ସ୍ଥାନ ଲମ୍ଫ ମାରି ଟେଷ୍ଟ୍‌ ବ୍ୟାଟରଙ୍କ ମାନ୍ୟତାରେ ତ୍ରୟୋଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ ଆହତ ଯୋଗୁଁ ଭାରତୀୟ ଦଳରୁ ଦୂରେଇ ରହିଥିବା ଯୁବ ୱିକେଟରକ୍ଷକ/ବ୍ୟାଟର ଋଷଭ ପନ୍ତ୍‌ (୭୬୬) ନବମ ସ୍ଥାନରେ ରହିଥିଲା ବେଳେ ଅଧିନାୟକ ରୋହିତ ଶର୍ମା (୭୩୯) ଦଶମ ସ୍ଥାନ ପାଇଛନ୍ତି। ଏହି ଦୁଇ ଜଣ ମଧ୍ୟ ଭାରତୀୟ ଭାବେ ଆଇସିସି ଟେଷ୍ଟ ବ୍ୟାଟର୍‌ଙ୍କ ମାନ୍ୟତାର ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ ଅଲ୍‌ରାଉଣ୍ଡରଙ୍କ ମାନ୍ୟତାର ଶୀର୍ଷ-୧୦ରେ ୩ ଭାରତୀୟ ଆଧିପତ୍ୟ ଜମାଇଛନ୍ତି। ଏହି ତିନି ଅଲ୍‌ରାଉଣ୍ଡର ମଧ୍ୟ ସ୍ପିନର। ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ଜାଦେଜା (୪୩୧) ଏକ ନମ୍ବର ଅଲ୍‌ରାଉଣ୍ଡର ମାନ୍ୟତା ବଜାୟ ରଖିଥିଲା ବେଳେ ଅଶ୍ବିନ (୩୫୯) ମଧ୍ୟ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ସେହିପରି ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୨୬୪ ରନ୍‌ ଏବଂ ୩ ୱିକେଟ୍‌ ସଫଳତା ପାଇଁ ଅକ୍ଷର ପଟେଲ (୩୧୬) ତୃତୀୟ ଭାରତୀୟ ଭାବେ ଶୀର୍ଷ-୧୦ରେ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର