କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ଉପରେ କଟକଣା ଲଗାଇବା ପାଇଁ ସାରା ବିଶ୍ୱରେ କୁଖ୍ୟାତ । ସେଠାରେ ତାଲିବାନ ସରକାର ଗଠନ ହେବା ପରଠାରୁ ମହିଳାଙ୍କୁ ବିଭିନ୍ନ ପ୍ରକାରର କଟକଣାରେ ବାନ୍ଧି ରଖିଛନ୍ତି । ସେମାନଙ୍କୁ ପ୍ରାୟ ଘରେ ବନ୍ଦୀ କରି ରଖାଯାଉଛି। କେବଳ ବଜାରକୁ ଯିବା ତ ଦୂରର କଥା, ଏକ ନିର୍ଦ୍ଦିଷ୍ଟ ବୟସ ପରେ ତାଙ୍କୁ ସ୍କୁଲ ଓ କଲେଜ ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ତେବେ ମହିଳାଙ୍କ ଉପରେ ଲଗାଯାଇଥିବା ଏହି କଟକଣା ଏବେ ତାଲିବାନ ସରକାରଙ୍କୁ ମହଙ୍ଗା ପଡିବ । କାରଣ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ତାଲିବାନ ନେତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି)ର ମୁଖ୍ୟ ପ୍ରସିକ୍ୟୁଟର ଗୁରୁବାର କହିଛନ୍ତି ଯେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଆଖୁନ୍ଦଜାଦା ଏବଂ ଇସ୍ଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖ୍ୟ ବିଚାରପତି ଅବଦୁଲ ହକିମ୍ ହକ୍କାନି ଲିଙ୍ଗଗତ କାରଣରୁ ମାନବିକତା ବିରୋଧୀ ଅପରାଧ କରିଛନ୍ତି ।

ତାଲିବାନ ଅଧିକାରୀଙ୍କ ପାଇଁ ଗିରଫ ପରୱାନା ପାଇଁ ବିଚାରପତିଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହି ପରୱାନା କୁ ଅନୁମୋଦନ ମିଳେ ତେବେ ତାଲିବାନ ମୁଖ୍ୟ ନିଜ ଦେଶରୁ ବାହାରକୁ ଯାଇପାରିବେ ନାହିଁ। ନେଦରଲ୍ୟାଣ୍ଡରେ ଥିବା ଆଇସିସିର ନିଜସ୍ବ ଗିରଫ କରିବାର କ୍ଷମତା ନାହିଁ, କିନ୍ତୁ ଏହି ଅଧିକାରୀମାନେ ଆଇସିସି ସଦସ୍ୟ ଦେଶକୁ ଯାଆନ୍ତି ଯେଉଁଠାରେ ସେମାନଙ୍କୁ ଗିରଫ କରାଯିବ।