ଯୁଦ୍ଧ ଅପରାଧ ପାଇଁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ମସ୍କୋ : ୟୁକ୍ରେନର ପିଲାମାନଙ୍କୁ ଦେଶାନ୍ତର କରିବା ସମେତ ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ କୋର୍ଟ ପୁଟିନଙ୍କ ଉପରେ ଯୁଦ୍ଧ ଅପରାଧ ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏଥିସହିତ ଋଷରାଷ୍ଟ୍ରପତି ୟୁକ୍ରେନର ପିଲାମାନଙ୍କୁ ବେଆଇନ ଭାବେ ରୁଷିଆ ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୨୨ ଫେବ୍ରୁଆରି ୨୪ ତାରିଖରେ ରୁଷ୍ ୟୁକ୍ରେନରେ ସମ୍ପୂର୍ଣ୍ଣ ଅନୁପ୍ରବେଶ ଆରମ୍ଭ କରିବା ପରଠାରୁ ଏହି ଅପରାଧ ଘଟୁଛି। ତେବେ ଅନୁପ୍ରବେଶ ସମେତ ସମସ୍ତ ଯୁଦ୍ଧ ଅପରାଧକୁ ମସ୍କୋ ଅସ୍ୱୀକାର କରିଛି ।

ଆଇସିସି ପୁଟିନଙ୍କ ବିରୋଧରେ ୟୁକ୍ରେନର ପିଲାମାନଙ୍କ ବଳପୂର୍ବକ ନିର୍ବାସନର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ସେ ସିଧାସଳଖ ଏହି କାର୍ଯ୍ୟ କରିଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାର  ଯଥେଷ୍ଟ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି ।

ରୁଷିଆର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା-ବେଲୋଭାଙ୍କୁ ମଧ୍ୟ ଆଇସିସି ଅପରାଧୀ ଘୋଷଣା କରିଛି । ପୁଟିନ୍ ଏବଂ ଲାଭୋୱା-ବେଲୋଭାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ, ସନ୍ଦିଗ୍ଧଙ୍କୁ ଗିରଫ କରିବାର କୌଣସି ଶକ୍ତି ଓ ସମ୍ବଳ ଆଇସିସି ପାଖରେ ନାହିଁ । କେବଳ ଅଦାଲତ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ମଧ୍ୟରେ ଆଇସିସି ନିଜ କ୍ଷମତାର ବ୍ୟବହାର କରିପାରିବ ।

ସମ୍ବନ୍ଧିତ ଖବର