ନୂଆଦିଲ୍ଲୀ: ୨୦୧୯ରେ ଚୀନର ଊହାନରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହାର ଲକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଲକ୍ଷଣ ବୁଝି ଏହାର ଉପଚାର ଖୋଜିବା ପାଇଁ ବୈଜ୍ଞାନିକମାନଙ୍କ ମାସ ମାସ ସମୟ ଲାଗିଥିଳା। ଅଧିକ ସଂକ୍ରାମକ ଥିବାରୁ ଭୂତାଣୁଟି ଧୀରେ ଧୀରେ ମହାମାରୀର ଋପ ନେଇଥିଲା। ଏବେ ପୁଣି ଥରେ ଚୀନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ଉତ୍ତର ଚୀନ୍ ରେ ଆଇସକ୍ରିମ କରୋନା ଆକ୍ରାନ୍ତ ହେବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ୧,୦୦୦ଜଣଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ତିଆନ୍ଜିନ୍ ଡାକିଆଡାଓ ଫୁଡ୍ କମ୍ପାନି ଦ୍ବାରା ପ୍ରସ୍ତୁତ ଆଇସକ୍ରିମରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଇସକ୍ରିମର ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତିଆନ୍ଜିନ୍ ଡାକିଆଡାଓର ସବୁ ଉତ୍ପାଦ ବ୍ୟବହାର ଉପରେ ରୋକ ଲଗାଯାଇଥିବା ବେଳେ କମ୍ପାନିକୁ ସିଲ୍ କରାଯାଇଛି। ଏହାପୂର୍ବରୁ, କମ୍ପାନି ଏହାର ଉତ୍ପାଦର ତିନୋଟି ନମୁନାକୁ ମ୍ୟୁନିସିପାଲିଟି କେନ୍ଦ୍ରକୁ କରୋନା ପରୀକ୍ଷା କରିବା ପାଇଁ ପଠାଇଥିଲେ। ପରୀକ୍ଷା ପରେ ତିନୋଟି ନମୁନା ପଜିଟିଭ ଆସିଥିଲା। ଆଇସକ୍ରିମର ତିଆରି କରିବା ପାଇଁ କମ୍ପାନି ଏକାଧିକ କଞ୍ଚାମାଲ ବ୍ୟବହାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଆମଦାନୀ ହୋଇଥିଲା। କ୍ଷୀର ପାଉଡର ନ୍ୟୁଜିଲ୍ୟାଣ୍ଡରୁ ଆମଦାନୀ ହୋଇଥିବାବେଳେ ଚକ ପାଉଡର ୟୁକ୍ରେନରୁ ଆମଦାନୀ ହୋଇଥିଲା। ଏହି କାରଣ ପାଇଁ ଆଇସକ୍ରିମରୁ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
