ନୂଆଦିଲ୍ଲୀ: ଶନିବାର ଅପରାହ୍ନରେ ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କିଙ୍ଗର ଭୀଷ୍ମ ପିତାମହ ଏନ୍.ବାଘୁଲଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦେହାନ୍ତ ହୋଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ବାଗୁଲ ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରିରେ ଅନେକ ଶୀର୍ଷ ପଦବୀରେ ରହିଥିଲେ।
ଆଇସିଆଇସିଆଇକୁ ଏକ ପବ୍ଲିକ୍ ଫାଇନାନ୍ସ ଅନୁଷ୍ଠାନରୁ ପ୍ରମୁଖ ଘରୋଇ କ୍ଷେତ୍ରର ବ୍ୟାଙ୍କରେ ପରିଣତ କରିବାର ଶ୍ରେୟ ତାଙ୍କୁ ଦିଆଯାଇଛି। ସେ ୧୯୮୫ରୁ ୧୧ ବର୍ଷ ପାଇଁ ଆଇସିଆଇସିଆଇର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଥିଲେ। ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଚେନ୍ନାଇରେ ବାଗୁଲଙ୍କ ଅନ୍ତିମ ସଂସ୍କାର କରାଯିବ।
୨୦୦୬ମସିହାରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା । ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଫିସର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୧ମସିହାରେ ୪୪ ବର୍ଷ ବୟସରେ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ତେବେ ଖୁବଶୀଘ୍ର ତାଙ୍କୁ ଆଇସିଆଇସିଆଇର ସିଏମଡି ଭାବେ ନିଯୁକ୍ତ କରାଯାଇଥିଲା ।