କୁଳଭୂଷଣ ମାମଲାରେ ଆଇସିଜେ ରାୟ ଚୂଡ଼ାନ୍ତ, ଅପିଲ୍‌ କରିପାରିବ ନାହିଁ ପାକିସ୍ତାନ

ଦୂତାବାସ ସହାୟତା ଯୋଗାଇବାକୁ ପାକ୍‌ ବାଧ୍ୟ: ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଫିସର୍‌ କୁଳଭୂଷଣ ଯାଦବଙ୍କ ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଯେଉଁ ରୋକ୍‌ ଲଗାଇଛନ୍ତି ତାହା ଚୂଡ଼ାନ୍ତ ବୋଲି ଆଜି ଭାରତ କହିଛି। କୁଳଭୂଷଣଙ୍କ ବିରୋଧରେ ପାକିସ୍ତାନର ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି ଏବଂ ଆଇସିଜେର ରାୟ ଅନୁଯାୟୀ କୁଳଭୂଷଣଙ୍କୁ ତୁରନ୍ତ ଦୂତାବାସ ସହାୟତା ଯୋଗାଇ ଦେବାକୁ ପାକିସ୍ତାନ ବାଧ୍ୟ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି। ଆଇସିଜେ ଯେଉଁ ରାୟ ଶୁଣାଇଛନ୍ତି ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଏହି ରାୟ ବିରୋଧରେ ପାକିସ୍ତାନ ଆଉ କୌଣସି ଆବେଦନ କରିପାରିବ ନାହିଁ। ‌ତେଣୁ ଏହି ରାୟ ଆଧାରରେ କୁଳଭୂଷଣଙ୍କ ମୁକ୍ତି ପାଇଁ ଭାରତ ସମସ୍ତ ପ୍ରୟାସ ଜାରି ରଖିବ ବୋଲି ରବିଶ କୁମାର କହିଛନ୍ତି। କୁଳଭୂଷଣଙ୍କୁ ତତ୍କାଳ ଦୂତାବାସ ସହାୟତା ପ୍ରଦାନ ଦିଗରେ ପାକିସ୍ତାନ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ଅଯଥା ପ୍ରତିବନ୍ଧକ ସୃଷ୍ଟି କଲେ ଏହା ଆଇସିଜେ ରାୟ ଏବଂ ଅନ୍ତର୍ଜାତୀୟ କୂଟନୈତିକ ଚୁକ୍ତିର ବଡ଼ ଉଲ୍ଲଂଘନ ହେବ ବୋଲି ଭାରତ ଚେତାଇ ଦେଇଛି। ଆଇସିଜେ ୪୨ ପୃଷ୍ଠାର ରାୟରେ ସବୁକିଛି ସ୍ପଷ୍ଟ କରିଦେଇଥିବାରୁ ଏବେ ପାକିସ୍ତାନ ଏହାକୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଭାରତ କହିଛି। ଜାତିସଂଘର ପ୍ରମୁଖ ନ୍ୟାୟିକ ସଂସ୍ଥା ଆଇସିଜେର ରାୟକୁ ଯଦି ପାକିସ୍ତାନ ଅବମାନନା କରିବ ତା’ହେଲେ ଭାରତ ଏହା ବିରୋଧରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି। ପାକିସ୍ତାନ କୁଳଭୂଷଣଙ୍କ ଦଣ୍ଡାଦେଶ ସମୀକ୍ଷା କରି ଯଥା ଶୀଘ୍ର ପଦକ୍ଷେପ ନେବାକୁ ଗତକାଲି ଆଇସିଜେ ତାଙ୍କ ରାୟରେ କହିଥିଲେ।

ହାଫିଜ୍‌ର ଗିରଫଦାରୀ ଡ୍ରାମା ପୂର୍ବରୁ ୮ ଥର ହୋଇଛି
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌କୁ ପାକିସ୍ତାନ ଅନେକ ବାର ବନ୍ଦୀ ଏବଂ ଗୃହବନ୍ଦୀ କରିଥିଲେ ମଧ୍ୟ ଏହା ସବୁଥର ପ୍ରହସନ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ସମୁଦାୟ ଆଖିରେ ଧୂଳି ଦେବା ପାଇଁ ପାକିସ୍ତାନ ହାଫିଜର ଗିରଫ ନାଟକ ବାରମ୍ବାର କରୁଛି ଏବଂ ଏଭଳି ଡ୍ରାମା ପୂର୍ବରୁ ୮ଥର ଦେଖିବାକୁ ମିଳିଥିବାରୁ ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ପଛରେ ସାମାନ୍ୟତମ ଆନ୍ତରିକତା ନାହିଁ ବୋଲି ଆଜି ଭାରତ କହିଛି। ହାଫିଜ୍‌ ବିରୋଧରେ ଭାରତ ଅନେକ ବଳିଷ୍ଠ ପ୍ରମାଣ ଦାଖଲ କରିଥିଲେ ମଧ୍ୟ ତା’ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ହାଫିଜ୍‌ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ସହାୟତାରେ ତା’ର କାୟା ବିସ୍ତାର କରିଛି ଏବଂ ଲସ୍କର ଆତଙ୍କବାଦୀ ସଂଗଠନକୁ ଭାରତ ବିରୋଧରେ ବ୍ୟବହାର କରୁଛି। ଆତଙ୍କବାଦୀଙ୍କୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଭାରତରେ ଅନୁପ୍ରବେଶ କରାଇବାଠାରୁ ଆକ୍ରମଣ ପର୍ଯ୍ୟନ୍ତ ସବୁକିଛି ହାଫିଜ୍‌ ସଂଚାଳନ କରୁଥିବା ସମସ୍ତେ ଜାଣିଥିବାରୁ ଏ ଦିଗରେ ପାକିସ୍ତାନ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର