ଭାରତର ବିଜୟ : କୁଳଭୂଷଣଙ୍କ ଫାଶୀ ଉପରେ ରୋକ୍

ପାକିସ୍ତାନକୁ ଆଇସିଜେର ନିର୍ଦେଶ ମାମଲାର ପୁନର୍ବିଚାର କରାଯାଉ, ଦୂତାବାସ ସହାୟତା ଦିଆଯାଉ

ଦି ହେଗ୍‌ (ନେଦରଲାଣ୍ଡ୍‌) : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ବଡ଼ ବିବାଦର କାରଣ ପାଲଟିଥିବା କୁଳଭୂଷଣ ଯାଦବ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଆଇସିଜେର ରାୟ ଭାରତ ସପକ୍ଷରେ ଯାଇଛି। ଅଦାଲତ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲଗାଇବା ସହ ତାଙ୍କୁ ସଂପୂର୍ଣ୍ଣ ଦୂତାବାସ ସହାୟତା ଉପଲବ୍ଧ କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପାକିସ୍ତାନ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି। ପାକିସ୍ତାନ ଏହି ମାମଲାରେ ପୁନର୍ବିଚାର ନକରିବା ପର୍ଯ୍ୟନ୍ତ ସାମରିକ ଅଦାଲତ ଦ୍ବାରା ଦିଆଯାଇଥିବା ଫାଶୀ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଆଇସିଜେର ମୁଖ୍ୟ ବିଚାରପତି ଅବଦୁଲକ୍ବାଇ ଅହମ୍ମଦ ୟୁସୁଫ୍‌ ସ୍ପଷ୍ଟ କରିଦେଇଛନ୍ତି।

ମୁଖ୍ୟ ବିଚାରପତି ଏବଂ ଅନ୍ୟ ୧୪ ଜଣ ବିଚାରପତିଙ୍କ ସହମତିକ୍ରମେ ଏହି ରାୟ ଘୋଷଣା କରାଯାଇଛି। ଆଇସିଜେର ଏହି ରାୟ ଭାରତ ପାଇଁ ଏକ ବଡ଼ ବିଜୟ ହୋଇଥିବା ବେଳେ ପାକିସ୍ତାନର ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଫିସର କୁଳଭୂଷଣଙ୍କ ମୁକ୍ତି ନେଇ ନୂଆ ଆଶା ସଂଚାର ହୋଇଛି। କୁଳଭୂଷଣଙ୍କୁ ପାକିସ୍ତାନ ୨୦୧୬ରେ ଇରାନ୍‌ରୁ ଅପହରଣ କରିନେବା ପରେ ତାଙ୍କୁ ଭାରତର ଗୁପ୍ତଚର ଏବଂ ଆତଙ୍କବାଦୀ ଭାବେ ଦର୍ଶାଇ ସାମରିକ ଅଦାଲତରେ ହାଜର କରାଯାଇଥିଲା ଏବଂ ପାକ୍‌ ସାମରିକ ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାର ପ୍ରତିବାଦ କରି ଭାରତ ମେ ୨୦୧୭ରେ ହେଗ୍‌ ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ବାରସ୍ଥ ହୋଇଥିଲା।

ପାକିସ୍ତାନ ଭିଏନା ଚୁକ୍ତିକୁ ଉଲ୍ଲଂଘନ କରିବା ସହିତ ଅନ୍ତର୍ଜାତୀୟ କୂଟନୈତିକ ଚୁକ୍ତିକୁ ଆଦୌ ସମ୍ମାନ ଦେଇନଥିବାରୁ ଭାରତ ଏ ନେଇ ଜୋର୍‌ଦାର ଯୁକ୍ତି କରିଥିଲା ଏବଂ ଆଇସିଜେ ଭାରତର ଯୁକ୍ତିକୁ ଗ୍ରହଣ କରିଥିଲେ। ପାକିସ୍ତାନ ଯୁକ୍ତି ଦର୍ଶାଇଥିଲା ଯେ ଭାରତ ଯାଦବଙ୍କୁ ଗୁପ୍ତଚର ଭାବେ ପାକିସ୍ତାନ ପଠାଇଥିଲା ଏବଂ ଏ ବାବଦରେ ପାକିସ୍ତାନର ଅଭିଯୋଗ ଉପରେ ତଦନ୍ତ ହୋଇନାହିଁ । ତେବେ ଆଇସିଜେ ପାକିସ୍ତାନର ଏଭଳି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ୪୮ ବର୍ଷୀୟ କୁଳଭୂଷଣ ଯାଦବ କେବଳ ଜଣେ ଭାରତୀୟ ନାଗରିକ ବୋଲି କହିଥିଲେ। ଯାଦବଙ୍କ ବିରୋଧରେ ପାକିସ୍ତାନ ଯେଉଁସବୁ ଅଭିଯୋଗ ଆଣିଛି ଏବଂ ଯେଉଁ ଦଣ୍ଡାଦେଶ ଲାଗୁ କରିଛି ତାହାର ପୁନର୍ବିଚାର ନହେବା ପର୍ଯ୍ୟନ୍ତ କୌଣସି ଦଣ୍ଡ ଲାଗୁ ହୋଇପାରିବ ନାହିଁ ବୋଲି ଆଇ‌ସିଜେ ବିଚାରକମଣ୍ଡଳୀ କହିଛନ୍ତି। ପାକିସ୍ତାନ ଭିଏନା କନ୍‌ଭେନ୍‌ସନ ଚୁକ୍ତିକୁ ଉଲ୍ଲଂଘନ କରି ଯାଦବଙ୍କୁ ଦୂତାବାସ ସହାୟତାରୁ ବଞ୍ଚିତ କରିଛି। ତେଣୁ ପ୍ରଥମେ ଯାଦବଙ୍କୁ ଦୂତାବାସ ସହାୟତା ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ଶୁଣାଇଥିବା ବେଳେ ଏକମାତ୍ର ପାକିସ୍ତାନୀ ବିଚାରପତି ଭିନ୍ନ ମତ ରଖିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚୀନ୍ ବିଚାରପତି ଭାରତକୁ ସମର୍ଥନ କରିଥିଲେ।

କୋର୍ଟର ଏହି ରାୟରେ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଆଇସିଜେର ରାୟକୁ ସ୍ବାଗତ କରି କହିଛନ୍ତି ଯେ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଭାରତର ମାମଲାକୁ ପ୍ରଭାବଶାଳୀ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ ଏବଂ ଶେଷରେ ଭାରତକୁ ନ୍ୟାୟ ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଇସିଜେର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର