ଏପ୍ରିଲ୍ ୧୦ ସୁଦ୍ଧା ୧୬୧୩୩୦ ନମୁନା ପରୀକ୍ଷା କରି ଆଇସିଏମଆର୍ ୬୮୭୨ କୋଭିଡ୍-୧୯ ପଜିଟିଭ୍ ପାଇଛି

ନୂଆଦିଲ୍ଲୀ: ଏପ୍ରିଲ୍ ୧୦ ତାରିଖ ସୁଦ୍ଧା ‘ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ୧୬୧୩୩୦ଟି ନମୁନା ପରୀକ୍ଷା କରି ୬୮୭୨ଟି କୋଭିଡ୍-୧୯ ପଜିଟିଭ୍ ପାଇଛି।

ଏକ ବିବୃତିରେ ଆଇସିଏମଆର୍ କହିଛି ଯେ ଏପ୍ରିଲ ୧୦ ତାରିଖ ସୁଦ୍ଧା ରାତି ୯ଟା ସୁଦ୍ଧା ୧, ୪୭, ୦୩୪ ବ୍ୟକ୍ତିବିଶେଷଙ୍କ ଠାରୁ ସଂଗୃହୀତ ସମୁଦାୟ ୧, ୬୧, ୩୩୦ ନମୁନା ପରୀକ୍ଷା କରିଛି। ଶୁକ୍ରବାର ଦିନ ସମଗ୍ର ଦେଶରେ କରାଯାଇଥିବା ୧୫୬୬୩ଟି ନମୁନାରୁ ୪୩୩ଟି ପଜିଟିଭ୍ ଆସିଛି।

ପୂର୍ବରୁ ଆଇସିଏମଆର୍ କହିଥିଲା ଯେ ଚିହ୍ନିତ ହଟଷ୍ପଟମାନଙ୍କରେ କୋଭିଡ୍-୧୯ ଲକ୍ଷଣ ଦେଖାଯାଉଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା କରାଯିବା ନିମନ୍ତେ ଦେଶର ପରୀକ୍ଷା ବ୍ୟବସ୍ଥା ବିସ୍ତାରିତ କରାଯାଇଛି।

୧୪୬ଟି ସରକାରୀ ଏବଂ ୬୭ଟି ଘରୋଇ ଲାବ୍ରୋଟରି ସମେତ ଦେଶରେ ସମ୍ପ୍ରତି ସଂକ୍ରମିତଙ୍କ ନିମନ୍ତେ ୨୧୩ଟି ପରୀକ୍ଷା ଲାବ୍ରୋଟରି କାମ କରୁଛି ବୋଲି ଆଇସିଏମ୍ ଆରର ଅଧିକାରୀମାନେ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ମୁତାବକ, ଆଜି ସକାଳ ୯ଟା ସୁଦ୍ଧା ଆମ ଦେଶରେ ୭୪୪୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୪୨ ଜଣ ସୁସ୍ଥ ହୋଇଛନ୍ତି ,ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ଏବଂ ବାକି ୨୩୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Image Courtesy of Reuters

ଜନ୍ସ ହପକିନ୍ସ୍ କରୋନାଭାଇରସ୍ ରିସୋର୍ସ ସେଣ୍ଟର୍ ତଥ୍ୟ ଅନୁସାରେ ଶୁକ୍ରବାର ରାତି ୧୧: ୪୫ ସୁଦ୍ଧା ବିଶ୍ବର ୧୮୪ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧, ୬୫୦, ୨୧୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୦୦, ୩୭୬ରେ ପହଞ୍ଚିଛି।

ସେଥିରୁ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୫, ୭୪୯, ସ୍ପେନରେ ୧୫୭, ୦୫୩, ଇଟାଲିରେ ୧୪୭, ୫୫୭, ଜର୍ମାନିରେ ୧୧୯, ୬୨୪ ଏବଂ ଫ୍ରାନସରେ ୧୧୮, ୭୯୦।

କରୋନାଭାଇରସଜନିତ ମୃତ୍ୟୁସଂଖ୍ୟାରେ ଇଟାଲି ସମଗ୍ର ବିଶ୍ବରେ ଅଗ୍ରଣୀ ରହିଛି। ସେଠାରେ ମୃତ୍ୟୁସଂଖ୍ୟା ୧୮, ୮୪୯ରେ ଥିବାବେଳେ ଆମେରିକାରେ ମୃତ୍ୟୁସଂଖ୍ୟା ୧୭, ୯୨୫। ସ୍ପେନରେ ମୃତ୍ୟୁସଂଖ୍ୟା ୧୫, ୯୭୦, ଫ୍ରାନସରେ ୧୨, ୨୨୮ ଏବଂ ଇଂଲଣ୍ଡରେ ୮, ୯୭୩।

ସମ୍ବନ୍ଧିତ ଖବର