ଆଇସିଏମଆର ସେରୋ ସର୍ଭେରୁ ଚିନ୍ତାଜନକ ତଥ୍ୟ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣରେ ଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା କରାଯାଇଥିବା ୨ୟ ସେରୋଲୋଜିକାଲ ସର୍ଭେରୁ କେତେକ ଚିନ୍ତାଜନକ ତଥ୍ୟ ଜଣାପଡ଼ିଛି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣ ୧୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ଭୁତାଣୁ ସଂସ୍ପର୍ଶରେ ଆସିଥିଲେ ।

ଏ ସମ୍ପର୍କରେ ସୂଚନାଦେଇ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସବୁଠାରୁ ଅଧିକ ସଂକ୍ରମଣ ସହରି ବସ୍ତି ଅଞ୍ଚଳରେ ରହିଥିବାବେଳେ ତାପଛକୁ ରହିଛି ସହରାଞ୍ଚଳର ଅଣ-ବସ୍ତି ଅଞ୍ଚଳ ଓ ସବୁଠାରୁ କମ ସଂକ୍ରମତ ରହିଛନ୍ତି ଗ୍ରାମାଞ୍ଚଳ ଲୋକେ ।

ଦେଶର ୨୧ଟି ରାଜ୍ୟର ୭୦ଟି ଜିଲ୍ଲାରେ ଥିବା ୭୦୦ରୁ ଅଧିକ ଗ୍ରାମ, ସହରାଞ୍ଚଳ ଓ୍ଵାର୍ଡରେ ଏହି ସର୍ଭେ କରାଯାଇଥିଲା । ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ପାର୍ବଣ ଋତୁ ଓ ଶୀତଦିନ ଥିବାରୁ ରାଜ୍ୟମାନେ ଅଧିକ ସତର୍କ ହେବା ଆବଶ୍ୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ନୂଆ ପ୍ରକାରର କଣ୍ଟେନମେଣ୍ଟ ଯୋଜନା କରିବା ଆବଶ୍ୟକ ।
ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ. ପଲ କହିଛନ୍ତି ଯେ ପାର୍ବଣ ଋତୁରେ ଲୋକମାନେ ଆହୁରି ସତର୍କ ରହିବା ଆବଶ୍ୟକ । ଲୋକମାନେ ମାସ୍କ ପିନ୍ଧା ଦୀପାବଳି, ମାସ୍କ ପିନ୍ଧା ଦଶହରା, ମାସ୍କ ପିନ୍ଧା ଇଦ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।

ସମ୍ବନ୍ଧିତ ଖବର