ନୂଆଦିଳ୍ଲୀ: ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍‌ଆର୍‌) ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି। ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍‌ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।
ଆଇସିଏମ୍‌ଆର୍ ୩୦୩ ଜଣ ସୁସ୍ଥ ପୁରୁଷ ସ୍ବେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷା କରିଥିଲା। ସମସ୍ତ ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ ଇଂଜେକ୍ସନ ଆକାରରେ ଦିଆଯାଉଥିବା ଏହି ଅଣ-ହର୍ମୋନଯୁକ୍ତ କଣ୍ଟ୍ରାସେପ୍ଟିଭ୍ ଆର୍‌ଆଇଏସ୍‌ୟୁଜି (ରିଭର୍ସିବ୍‌ଲ ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ) ନିରାପଦ, ଫଳପ୍ରଦ ଓ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ।

Advertisment

ଅନ୍ତର୍ଜାତୀୟ ଜର୍ଣ୍ଣାଲ ଆଣ୍ଡ୍ରୋଲୋଜିରେ ଗବେଷଣାର ଫଳାଫଳ ପ୍ରକାଶ ପାଇଛି। ୨୫ରୁ ୪୦ ବର୍ଷ ବୟସବର୍ଗର ୩୦୩ ଜଣ ଯୌନ ସକ୍ରିୟ ବିବାହିତ ପୁରୁଷଙ୍କୁ ପରିବାର ନିୟୋଜନ କ୍ଳିନିକ୍‌ଗୁଡ଼ିକରେ ୬୦ ମିଲିଗ୍ରାମ୍ ଆର୍‌ଆଇଏସ୍‌ୟୁଜି ଇଂଜେକ୍ସନ ଦିଆଯାଇଥିଲା। ପରୀକ୍ଷା ସମୟରେ ସେମାନଙ୍କ ସ୍ତ୍ରୀମାନେ ମଧ୍ୟ ସୁସ୍ଥ ଥିବା ଦେଖାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପାଇଁ ୪ ବର୍ଷ ସମୟ ଲାଗିଥିଲା ଏବଂ ଏହି କଣ୍ଟ୍ରାସେପ୍ଟିଭ୍ ୯୯.୦୨ ପ୍ରତିଶତ ଫଳପ୍ରଦ ଥିବା ଜଣାପଡ଼ିଥିଲା। ଆଇଆଇଟି ଖଡ଼ଗପୁରର ଡ ସୁଜୟ କୁମାର ଗୁହ ଏହି କଣ୍ଟ୍ରାସେପ୍ଟିଭ୍‌ର ବିକାଶ କରିଛନ୍ତି।