ନୂଆଦିଲ୍ଲୀ: ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) ମାତ୍ର ଦୁଇ ଘଣ୍ଟା ମଧ୍ୟରେ ‘ଓମିକ୍ରନ୍ ଭେରିଏଣ୍ଟ୍’ ଚିହ୍ନଟ କରିବାକୁ ସମର୍ଥ ହେଉଥିବା ଗୋଟାଏ ‘ଟେଷ୍ଟିଙ୍ଗ୍ କିଟ୍’ ପ୍ରସ୍ତୁତ କରିଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ବୈଜ୍ଞାନିକ ଡକ୍ଟର ବିଶ୍ବଜ୍ୟୋତି ବୋର୍କାକୋତୀଙ୍କ ନେତୃତ୍ବରେ ଉତ୍ତରପୂର୍ବାଞ୍ଚଳ ପାଇଁ ଥିବା ‘ରିଜିଓନାଲ୍ ମେଡିକାଲ୍ ରିସର୍ଚ ସେଣ୍ଟର୍’ର ଦଳେ ବୈଜ୍ଞାନିକ ଉପରୋକ୍ତ କିଟ୍ ବିକଶିତ କରିଛନ୍ତି। ଏହା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ନମୁନାରୁ ‘ଓମିକ୍ରନ୍ ଭେରିଏଣ୍ଟ୍’ ଚିହ୍ନଟ କରି ପାରୁଛି। ଏଭଳି ସଫଳତା ହାସଲ କରିବାରେ ଏହା ହେଉଛି ଦେଶର ତୃତୀୟ ସରକାରୀ ଲ୍ୟାବ୍ରଟରି।
ଏ ସଂକ୍ରାନ୍ତରେ ଡକ୍ଟର ବିଶ୍ବଜ୍ୟୋତି ବୋର୍କାକୋତୀ କହିନ୍ତି, ଡିବ୍ରୁଗଡ଼ର ‘ଆଇସିଏମ୍ଆର୍-ଆର୍ଏମ୍ଆର୍ସି’ ଡିଜାଇନ୍ ଓ ବିକାଶ କରିଥିବା ‘ହାଇଡ୍ରୋଲିସିସ୍ ପ୍ରୋବ୍-ବେସ୍ଡ୍ ରିୟଲ୍-ଟାଇମ୍ ଆର୍ଟି-ପିସିଆର୍’ କିଟ୍ଟି ମାତ୍ର ଦୁଇ ଘଣ୍ଟାରେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ (ବି.୧.୧.୫୨୯) ଚିହ୍ନଟ କରିବାକୁ ସମର୍ଥ ହେଉଛି।
/sambad/media/post_attachments/wp-content/uploads/2021/12/scientist-1024x759.jpg)
ସେ ଆହୁରି ମଧ୍ୟ କହିଛି, ଏବେ ଭେରିଏଣ୍ଟ୍ ଚିହ୍ନଟ ସକାଶେ ‘ଟାର୍ଗେଟ୍ ସିକ୍ବେନ୍ସିଙ୍ଗ୍’ ପାଇଁ ଅତି କମ୍ରେ ୩୬ ଘଣ୍ଟା ଏବଂ ‘ହୋଲ୍- ଜିନୋମ୍ ସିକ୍ବେନ୍ସିଙ୍ଗ୍’ ପାଇଁ ୪ ରୁ ୫ ଦିନ ସମୟ ଲାଗୁଥିବାରୁ ଆମଦ୍ବାରା ବିକଶିତ କିଟ୍ଟି ସମୟ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି।
ଦୁଇଟି ଅଞ୍ଚଳରୁ ଏହି କିଟ୍ରେ ‘ସାର୍ସ-କୋଭ୍-୨ ଓମିକ୍ରନ୍ ଭେରିଏଣ୍ଟ୍’ର ନିର୍ଦ୍ଦିଷ୍ଟ କୃତ୍ରିମ ଗୁଣସୂତ୍ର ଅଂଶ (ସ୍ପାଇକ୍ ପ୍ରୋଟିନ୍) ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ୧୦୦% ସଠିକ୍ ବୋଲି ଜଣାପଡ଼ିଛି ବୋଲି ସେ କହିଛନ୍ତି।
ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନର୍ସିପ୍ ମଡେଲ୍ରେ କୋଲ୍କାତାର ‘ଜିସିସି ବାୟୋଟେକ୍’ ଉକ୍ତ କିଟ୍ ଉତ୍ପାଦନ କରୁଛି।