କରୋନା ପରୀକ୍ଷା ପାଇଁ ରଣନୀତି ବଦଳାଇଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆ‌ଇସିଏମ୍‌ଆର (ଇଣ୍ଡିଆନ କାଉନସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ) ଆଜି କରୋନା ପରୀକ୍ଷା ନୀତି ବଦଳାଇଛନ୍ତି। ଆଇସିଏମ୍‌ଆର ନୂଆ ନିୟମାବଳୀ ଅନୁଯାୟୀ ହସ୍ପିଟାଲ୍‌ରେ ଥିବା ସମସ୍ତ ରୋଗୀ ତଥା ‌ଯେଉଁମାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଥିବ ତଥା ଜ୍ବର ଓ କାଶ ହେଉଥିବ ସେମାନଙ୍କର କରୋନା ପରୀକ୍ଷା କରାଯିବ। ନୂଆ ଆଇସିଏମ୍‌ଆର ନିୟମାବଳୀ ଅନୁଯାୟୀ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତଥା ଯେଉଁମାନଙ୍କ କ୍ଷେତ୍ରରେ ଅଧିକ ବିପଦ ଥିବାଭଳି ଆଶଙ୍କା ଥିବ ସେମାନଙ୍କୁ ପରୀକ୍ଷା କରିବାପାଇଁ କୁହାଯାଇଛି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେବେ ଏହି ବ୍ୟକ୍ତି ଆସିଥିବେ ସେଦିନଠାରୁ ପଞ୍ଚମ ଏବଂ ୧୪ ଦିନରେ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଅନ୍ୟପକ୍ଷେ ଜଣେ କରୋନା ଆକ୍ରାନ୍ତ ରୋଗୀ ଯେଉଁ ଘରେ ରହିଥିବେ ସେହି ଘରେ ଅନ୍ୟ ଯେଉଁମାନେ ଥିବେ ତଥା ତାଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା କରିବାପାଇଁ ନୂଆ ଆଇସିଏମ୍‌ଆର ନିୟମାବଳୀରେ କୁହାଯାଇଛି। ପୂର୍ବରୁ ଯେଉଁ ନିୟମ ରହିଥିଲା ତାହା ମଧ୍ୟ ଯଥାରୀତି ରହିବ ବୋଲି ଏଥିରେ କୁହାଯାଇଛି। କରୋନା ଟେଷ୍ଟିଂ ବ୍ୟାପକ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର