ପ୍ରକାଶ ପାଇଲା ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ, ଜାଣନ୍ତୁ ଦେଶରେ କେତେ ରହିଛି ପାସ୍ ହାର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ । ଅପରାହ୍ନ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ‌ବେଳେ ଦେଶରେ ଆଇସିଏସଇର ପାସ ହାର ଗତବର୍ଷଠାରୁ ବଢ଼ିଥିବା ଦେଖାଯାଇଛି । ଚଳିତ ବର୍ଷ ଆଇସିଏସଇ ଦଶମ ଶ୍ରେଣୀର ପାସ୍ ହାର ୯୯.୩୩% ଓ ଆଇଏସସି ଦ୍ବାଦଶ ଶ୍ରେଣୀର ପାସ୍ ହାର ୯୬.୮୪% ଥିବା ବେଳେ ଗତ ବର୍ଷ ଆଇସିଏସଇର ପାସ ହାର ୯୮.୫୪%  ଏବଂ ଆଇଏସସି ପାସ୍ ହାର ୯୬.୫୨% ଥିଲା ।

ଘୋଷିତ ଫଳାଫଳ ଅନୁଯାୟୀ, ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ର-ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଥିବା ବେଳେ  ୧,୩୭୭ ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। ତେବେ କୋଭିଡ ପରିସ୍ଥିତି ପାଇଁ ଚଳିତ ବର୍ଷ ସିଆଇଏସସିଇ ଆଇସିଏସଇ କିମ୍ବା ଆଇଏସସିର  ମେରିଟ୍ ତାଲିକା ପ୍ରକାଶ କରିବ ନାହିଁ ବୋଲି ସିଆଇଏସସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଗେରି ଆରାଥନ୍ କହିଛନ୍ତି।

ଯଦି କୌଣସି ଛାତ୍ର-ଛାତ୍ରୀ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଚାହୁଁଥିବେ, ତେବେ ସେମାନେ www.cisce.org ୱେବସାଇଟରେ ଆବେଦନ କରି ପାରିବେ । ଆଇସିଏସଇ ଏବଂ ଆଇଏସସି ଛାତ୍ର-ଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାଙ୍କନ ରାଶି ୧,୦୦୦ଟଙ୍କା ରଖାଯାଇଛି ।

ସମ୍ବନ୍ଧିତ ଖବର