ନୂଆଦିଲ୍ଲୀ: ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନସ୍ ( ସିଆଇଏସସିଇ) । ଆସନ୍ତା ମେ’ ୫ରୁ ଦଶମ ବୋର୍ଡ ପରୀକ୍ଷା ଏବଂ ଏପ୍ରିଲ୍ ୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା ହେବ ବୋଲି ସିଆଇଏସସିଇ ନିଜ ୱେବସାଇଟରେ ସୂଚନା ଦେଇଛି । ଏ ନେଇ ପରୀକ୍ଷା ସୂଚୀ ପ୍ରକାଶ କରିବା ସହ ଏପ୍ରିଲ ଏବଂ ମେ’ ମାସରେ ପରୀକ୍ଷା ହେବା ପରେ ଫଳାଫଳ ଜୁଲାଇ ଶେଷ ସୁଦ୍ଧା ବାହାରିବ ବୋଲି ସିଆଇଏସସିଇ ପକ୍ଷରୁ କୁହାଯାଇଛି। ସେହିପରି ଜୁଲାଇ ସୁଦ୍ଧା ସ୍କୁଲମାନଙ୍କୁ ପରୀକ୍ଷା ଫଳାଫଳ ପଠାଇ ଦିଆଯିବ। ଫଳାଫଳ ନୂଆଦିଲ୍ଲୀରେ ପରିଷଦ କାର୍ଯ୍ୟାଳୟରେ ଉପଲବ୍ଧ ହେବ ନାହିଁ ବୋଲି କହିଛନ୍ତି ସିଆଇଏସସିଇ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଗେରୀ ଅରାଥୁନ୍।
ମେ’ ୫ରୁ ଆରମ୍ଭ ହେବାକୁ ଥିବା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଇଂରାଜୀ ପେପରରୁ ଆରମ୍ଭ ହୋଇ ଜୁନ ୭ରେ ଶେଷ ହେବ। ସେହିଭଳି ଆଇଏସସି ଦ୍ବାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୮ରୁ କମ୍ପ୍ୟୁଟର ସାଇନ୍ସ ପ୍ରାକ୍ଟିକାଲ ପରୀକ୍ଷାରୁ ଆରମ୍ଭ ହେଉଥିବା ବେଳେ ଥିଓରି ପରୀକ୍ଷା ମେ’ ୫ ତାରିଖରୁ ବିଜନେସ୍ ଷ୍ଟଡିଜ୍ ପେପର ସହିତ ଆରମ୍ଭ ହେବ। ମେ’୫ରୁ ଆରମ୍ଭ ହୋଇ ଜୁନ ୧୬ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ।
ଗତ ବର୍ଷ କରୋନାଭାଇରସ୍ ମହାମାରୀ ହେତୁ ବୋର୍ଡ ପରୀକ୍ଷା ବାତିଲ ହୋଇଯାଇଥିଲା। ଛାତ୍ରଛାତ୍ରୀମାନଙ୍କର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନକୁ ଆଧାର କରି ସେମାନଙ୍କୁ ମାର୍କ ଦିଆଯାଇଥିଲା। ବୋର୍ଡ ଗତ ବର୍ଷ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ବିକଳ୍ପ ପ୍ରଦାନ କରାଯିବ ନାହିଁ ଏବଂ ସେମାନେ କେବଳ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ମାର୍କ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/cisce-01_Thumb.jpg)