ମୁମ୍ବାଇ: ଜାଆଁଳା ବା ଯମଜ ପିଲାମାନଙ୍କ ମଧ୍ୟରେ ଅନେକ ପ୍ରକାରର ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ଯେପରିକି ସେମାନଙ୍କ ଚେହେରା, ଶାରୀରିକ ଗଠନ, ଆଚରଣ, ସ୍ୱଭାବ, ରୁଚି ଆଦିରେ ଅନେକ ପ୍ରକାରର ସାମଞ୍ଜସ୍ୟ ରହିଥାଏ। ଏହା କିଛି ଏକ ନୂଆ କଥା ନୁହେଁ। ତେବେ, ସଦ୍ୟ ପ୍ରକାଶ ପାଇଥିବା ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାରେ ମୁମ୍ବାଇର ଏକ ଯୋଡ଼ା ଜାଆଁଳା ଭାଇ ସବୁ ବିଷୟରେ ସମାନ ନମ୍ବର ରଖିବା ସହ ସମାନ ପ୍ରତିଶତ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ମୁମ୍ବାଇର ଏହି ଦୁଇ ଜାଆଁଳା ଭାଇ ହେଉଛନ୍ତି ରୋହନ୍ ଓ ରାହୁଲ। ସେମାନେ ଏକାଠି ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଆଉ ପ୍ରତ୍ୟେକେ ୯୬.୫ ପ୍ରତିଶତ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟେ ମୁମ୍ବାଇର ଖର୍ରେ ଥିବା ଜସୁଦ୍ବେନ୍ ଏମ୍ଏଲ୍ ସ୍କୁଲରେ ବିଜ୍ଞାନରେ ଦ୍ୱାଦଶ ପଢ଼ୁଥିଲେ। ଏହି ଯମଜଙ୍କ ଜନନୀ ସୋନାଲ କହନ୍ତି, ‘ରୋହନ୍ ଓ ରାହୁଲ କେବଳ ଦେଖିବାକୁ ଏକାପରି ନୁହନ୍ତି; ଉଭୟଙ୍କର ସବୁ ଅଭ୍ୟାସ ମଧ୍ୟ ଏକାପରି। ଯେତେବେଳେ ଦେହ ଖରାପ ହୁଏ ଉଭୟଙ୍କର ଏକାଠି ହୁଏ। ଉଭୟଙ୍କୁ ଏକାଠି ଭୋକ ମଧ୍ୟ ହୁଏ। ଉଭୟେ ଏକାଠି ପଢ଼ନ୍ତି। ପରୀକ୍ଷା ପାଇଁ ସେମାନଙ୍କ ରିଭିଜନ ମଧ୍ୟ ଏକାଠି କରନ୍ତି। ତେବେ, ପରୀକ୍ଷାରେ ମଧ୍ୟ ଉଭୟେ ଏକା ନମ୍ବର ରଖିବା ଘଟଣା ଆମକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରି ଦେଇଛି’ ବୋଲି ଗଣମାଧ୍ୟମକୁ କହିଛନ୍ତି ଏହି ଯମଜଙ୍କୁ ଜନ୍ମ ଦେଇଥିବା ସୋନାଲ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Twins.jpg)