ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ଆଇସିଏସ୍‌ଇ ବୋର୍ଡ ଦଶମ ଏବଂ ଆଇଏସ୍‌ସି ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଛନ୍ତି। ପୂର୍ବରୁ ସିବିଏସ୍‌ଇ ମଧ୍ୟ ୨୦୨୦-୨୧ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଥିଲା। ‘କାଉନ୍‌ସିଲ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ ଏକ୍‌ଜାମିନେସନ (ସିଆଇଏସ୍‌ସିଇ)’ ପକ୍ଷରୁ ଆଜି ଅପରାହ୍ନରେ ନୋଟିସ ଜାରି କରି ପରୀକ୍ଷା ସ୍ଥଗିତ ରଖାଯିବା ସଂକ୍ରାନ୍ତ ଘୋଷଣା କରାଯାଇଛି । ଆଇସିଏସ୍‌ଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-୧୯ ସଙ୍କଟ ପାଇଁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖାଯାଇଛି। କରୋନା ମହାମାରୀ ପରିସ୍ଥିତି ନେଇ ସମୀକ୍ଷା ପରେ ଜୁନ୍‌ ପ୍ରଥମ ସପ୍ତାହରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବିକଳ୍ପ ଦିଆଯାଇଛି । ଆଇସିଏସ୍‌ଇ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଅଫ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ। ଏହା ବ୍ୟତୀତ ଅଫ୍‌ଲାଇନ୍‌ ପରୀକ୍ଷା ମଧ୍ୟ ନଦେବା ବିକଳ୍ପକୁ ଚୟନ କରିପାରିବେ।