ଆଇଡିବିଆଇ ବ୍ୟାଙ୍କରେ ୭୭୨ କୋଟିର ଠକେଇ

ମୁମ୍ବାଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁ କୋଟି ଟଙ୍କାର ଠକେଇ ସଂପର୍କରେ ଚର୍ଚ୍ଚା ନ ଥମୁଣୁ ଆଉ ଏକ ବଡ଼ ବ୍ୟାଙ୍କ ଠକେଇ ସାମନାକୁ ଆସିଛି । ଏହି ଠକେଇଟି ଘଟିଛି ଅନ୍ୟତମ ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇରେ ।  ବ୍ୟାଙ୍କ ପକ୍ଷରୁ ଆଜି କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଥିବା ଏହାର ୫ଟି ଶାଖାରୁ ଜାଲ କାଗଜପତ୍ର ଦେଇ ପ୍ରାୟ ୭୭୨ କୋଟି ଟଙ୍କାର ଋଣ ଉଠାଯାଇଛି । ଏସବୁ ଋଣ ୨୦୦୯ରୁ ୨୦୧୩ ମଧ୍ୟରେ ଦିଆଯାଇଛି । ଏଗୁଡିକ ମଧ୍ୟରୁ କେତେକ ଋଣ ମାଛଚାଷ ଉଦ୍ଦେଶ୍ୟରେ ନିଆଯାଇଛି । କିନ୍ତୁ ଯାଞ୍ଚରୁ ଜଣାପଡିଛି ଯେ ଯେଉଁ ପୋଖରୀରେ ମାଛଚାଷ କରିବା ପାଇଁ ଋଣ ନିଆଯାଇଛି ସେହି ସ୍ଥାନରେ ପୋଖରୀ ହିଁ ନାହିଁ । ଅର୍ଥାତ କାଗଜପତ୍ରରେ ପୋଖରୀ ଦେଖାଇ ଋଣ ନିଆଯାଇଛି । ରଖାଯାଇଥିବା ବନ୍ଧକର ମୂଲ୍ୟ ମଧ୍ୟ ଜାଣିଶୁଣି ଅଧିକ କରି ଦେଖାଯାଇଛି ।  ଏହି ଠକେଇରେ ବ୍ୟାଙ୍କର ଦୁଇଜଣ କର୍ମଚାରୀ ସଂପୃକ୍ତ ଥିବା ଜଣାଯାଇଛି । ଜଣକୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିବାବେଳେ ଆଉଜଣେ ଅବସର ନେଇଛନ୍ତି । ବ୍ୟାଙ୍କ ପକ୍ଷରୁ ଏହି ଠକେଇ ସମୟରେ ସିବିଆଇରେ ଏକ ଏଫଆଇଆର ରୁଜ୍ଜୁ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର