ଆଦର୍ଶ ଆଚରଣ ବିଧି

ନୂଆଦିଲ୍ଲୀ: ରବିବାର ନିର୍ବାଚନ ତାରିଖ ଘୋଷଣା ମାତ୍ରେ ହିଁ ତତ୍କାଳ ବିଭିନ୍ନ ରାଜନେତା ଏବଂ ରାଜନୈତିକ ଦଳ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ତେବେ ବିଶେଷ କରି ଆଠଟି ବିଷୟ ଉପରେ ହିଁ ଏହି ଆଚରଣ ବିଧି ପର୍ଯ୍ୟବସିତ। ସେଗୁଡ଼ିକ ହେଲା ସାଧାରଣ ବ୍ୟବହାର, ସଭାସମିତି, ଶୋଭାଯାତ୍ରା, ନିର୍ବାଚନ ତାରିଖ, ଭୋଟଗ୍ରହଣ କେନ୍ଦ୍ର, ପର୍ଯ୍ୟବେକ୍ଷକ, ଶାସକ ଦଳ ଏବଂ ନିର୍ବାଚନୀ ଇସ୍ତାହାର।
କୌଣସି ରାଜନୈତିକ ଦଳକୁ କେବଳ ତାହାର ଯୋଜନା, କାର୍ଯ୍ୟକ୍ରମ ଏବଂ ଅତୀତର କାର୍ଯ୍ୟାବଳି ଉପରେ ସମାଲୋଚନା କରାଯାଇପାରିବ। ସେହିପରି ଭୋଟ ହାତେଇବା ପାଇଁ ଜାତିଆଣ କି ସାମ୍ପ୍ରଦାୟିକ ମନୋଭାବ ପୋଷଣ କରାଯାଇପାରିବ ନାହିଁ କି କାହାକୁ ପ୍ରଲୋଭିତ କରାଯାଇ ପାରିବନାହିଁ। କୌଣସି ଅଭିଯୋଗର ପ୍ରମାଣ ନଥାଇ କାହାକୁ ସମାଲୋଚନା କରାଯାଇପାରିବ ନାହି। କାହାର ମତକୁ ବିରୋଧ କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କି ଧାରଣା ଦିଆଯାଇପାରିବ ନାହିଁ। କୌଣସି ସଭା କି ସମାବେଶ ପାଇଁ ରାଜନୈତିକ ଦଳଗୁଡ଼ିକ ଆଗୁଆ ସ୍ଥାନ ଓ ସମୟ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେବେ, ଯଦ୍ଦ୍ବାରା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇପାରିବ।
ଯଦି ଦୁଇ ବା ଅଧିକ ଦଳ ସମାନ ରାସ୍ତାରେ ଶୋଭାଯାତ୍ରା ବାହାର କରିବାକୁ ଥାଆନ୍ତି, ତେବେ ଯେପରି ଏକା ସମୟରେ ତାହା ସଂଘଟିତ ନହୁଏ ସେଥିପାଇଁ ଆଗୁଆ ସ୍ଥାନୀୟ ପ୍ରଶାସନକୁ ଜଣାଇ ଅନୁମତି ନେବାକୁ ପଡ଼ିବ। ସେହିପରି ଶୋଭାଯାତ୍ରାରେ ଅନ୍ୟ ଦଳର ସଦସ୍ୟଙ୍କ କୁଶପୁତ୍ତଳିକା ବହନ କରିବା କି ଦାହ କରିବାକୁ ବାରଣ କରାଯାଇଛି।
ଭୋଟଗ୍ରହଣ ବେଳେ ଅଧିକୃତ ଦଳୀୟ କର୍ମୀମାନେ ନିଜର ପରିଚୟପତ୍ର ପାଖରେ ରଖିବେ, ମାତ୍ର ସେଥିରେ କୌଣସି ଦଳର ନାମ କି ଦଳୀୟ ସଂକେତ ରହିବ ନାହିଁ।
ମତଦାନ କେନ୍ଦ୍ରକୁ କେବଳ ମତଦାତା ଏବଂ ନିର୍ବାଚନ ଆୟୁକ୍ତଙ୍କ ଠାରୁ ବୈଧ ପ୍ରବେଶପତ୍ର ପାଇଥିବା ବ୍ୟକ୍ତିବିଶେଷ ଯାଇପାରିବେ।
ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ପର୍ଯ୍ୟବେକ୍ଷଙ୍କୁ ହିଁ ପ୍ରାର୍ଥୀମାନେ କୌଣସି ଅସୁବିଧା କିମ୍ବା ଅଭିଯୋଗ ସମ୍ପର୍କରେ ଜଣାଇପାରିବେ। ମନ୍ତ୍ରୀମାନେ ସରକାରୀ କାର୍ଯ୍ୟରେ ଗସ୍ତ କଲା ବେଳେ କୌଣସି ଦଳୀୟ ନିର୍ବାଚନ କାମରେ ସାମିଲ ହେବେନାହିଁ କି ସେଥିପାଇଁ ସରକାରୀ କଳକୁ ଉପଯୋଗ କରିବେ ନାହିଁ। ଶାସକ ଦଳ ସରକାରୀ ଅର୍ଥରେ ଗଣମାଧ୍ୟମରେ ନିଜ ଯୋଜନାର ବିଜ୍ଞାପନ କରିପାରିବେ ନାହିଁ। ବିଭାଗୀୟ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ କୌଣସି ପ୍ରକାର ଆର୍ଥିକ ଅନୁଦାନ ଘୋଷଣା କରିପାରିବେ ନାହିଁ କି କୌଣସି ରାସ୍ତା ନିର୍ମାଣ କି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇପାରିବେ ନାହିଁ। ସର୍ବସାଧାରଣ ସ୍ଥାନ ଏବଂ ଆଶ୍ରୟସ୍ଥଳୀକୁ ଶାସକ ଦଳ ଏକଚାଟିଆ ଭାବେ ବ୍ୟବହାର କରିପାରିବେ ନାହିଁ।
ନିର୍ବାଚନୀ ଇସ୍ତାହାରରେ କୌଣସି ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରକାର ଅନୁଚିତ ପ୍ରତିଶ୍ରୁତି ଦେବେନାହିଁ। ଏପରିକି ଦେଇଥିବା ପ୍ରତିଶ୍ରୁତି କିପରି କାର୍ଯ୍ୟକାରୀ କରିବେ, ତାହାର ଉପାୟ ମଧ୍ୟ ଉଲ୍ଲେଖ କରିବେ।

ସମ୍ବନ୍ଧିତ ଖବର