ଜେରୁଜେଲମ୍: ଇସ୍ରାଏଲ ସେନା କହିଛି ଯେ ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହାମାସ ଆକ୍ରମଣ ସମୟରେ ବନ୍ଧକ ଥିବା ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେନା ମଙ୍ଗଳବାର ଏକ ବିବୃତିରେ କହିଛି ଯେ ଗତକାଲି ରାତିରେ ଦକ୍ଷିଣ ଗାଜାରେ ଏକ ଅପରେସନ ସମୟରେ ତାଙ୍କ ସୈନିକମାନେ ଏସବୁ ମୃତଦେହ ଉଦ୍ଧାର କରିଥିଲେ। ମୃତକମାନେ ହେଲେ ୟାଗାଏଭ ବୁଟାବ, ଆଲେକଜାଣ୍ଡର ଡାଙ୍କିଗ୍, ଅବରାହମ୍ ମଣ୍ଡର, ୟୋରାମ ମେଟ୍ସଗର, ନାଦାବ ପୋପଲଭେଲ୍ ଓ ହାଇମ୍ ପେରି।

Advertisment

ତେବେ ସେମାନଙ୍କର ମୃତ୍ୟୁ କେବେ ଓ କେମିତି ହେଲା ସେ ନେଇ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଆମେରିକା, ଇଜିପ୍ଟ ଓ କତାର ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଦ୍ୟମ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି। ଏହି ଚୁକ୍ତିରେ ହାମାସ ଦ୍ୱାରା ବନ୍ଧକ ଥିବା ଲୋକଙ୍କୁ ମୁକ୍ତ କରିବା ମଧ୍ୟ ଅନ୍ତର୍ଭୁକ୍ତ । ଅକ୍ଟୋବର ୭ ଆକ୍ରମଣ ପରଠାରୁ ପ୍ରାୟ ୧୧୦ ଜଣ ଙ୍କୁ ହାମାସ ବନ୍ଦୀ କରି ରଖିଥିବା ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ମୃତ୍ୟୁବରଣ କରିଛନ୍ତି ବୋଲି ଇସ୍ରାଏଲ ଅଧିକାରୀମାନେ ଆକଳନ କରିଛନ୍ତି।

ଗତ ଅକ୍ଟୋବର ୭ ତାରିଖରେ ହମାସ ନେତୃତ୍ବାଧୀନ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାଖାପାଖି ୧୨୦୦ ଲୋକ (ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ) ନିହତ ହେବା ସହ ପାଖାପାଖି ୨୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା । ଇସ୍ରାଏଲ କହିଛି ଯେ ୧୧୧ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇନଥିଲା ଓ ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କୁ ହତ୍ୟା କରାଯାଇଥିଲା । ବନ୍ଧକଙ୍କ ମଧ୍ୟରେ ୧୫ ଜଣ ମହିଳା ଓ ୫ ବର୍ଷରୁ କମ୍ ବୟସର ଦୁଇ ଜଣ ଶିଶୁ ଅଛନ୍ତି।