ୱାଶିଂଟନ୍: ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସର ସିଇଓ ଏଲୋନ ମସ୍କଙ୍କୁ ଦାୟିତ୍ବ ଦିଅଯାଇଛି। ଏହାରି ମଧ୍ୟରେ ମସ୍କଙ୍କ ଏକ ବୟାନ ଏବେ ବେଶ୍ ଚର୍ଚ୍ଚା ପାଲଟିଛି। ମସ୍କ ନିକଟରେ ଏକ ସାକ୍ଷାତ୍କାରେ କହିଛନ୍ତି କି ଜୋ ବାଇଡେନ୍ ପ୍ରଶାସନ ଜାଣି ଜାଣି ରାଜନୈତିକ କାରଣ ପାଇଁ ସୁନିତାଙ୍କୁ ମହାକାଶରେ ଛାଡ଼ି ଦେଇଛନ୍ତି। ମସ୍କ ଯେଉଁ ସାକ୍ଷାତ୍କାରରେ ଏପରି କହୁଥିଲେ ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବି ଉପସ୍ଥିତ ଥିଲେ।
ଏହାକୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ର ପୂର୍ବତନ କମାଣ୍ଡର ମୋଗେନସେନ୍, ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ମହାକାଶରେ ଛାଡ଼ି ଦେଇଥିବା ଦାବି ପାଇଁ ମସ୍କଙ୍କୁ ସମାଲୋଚନା କରିଛନ୍ତି। ଏହାକୁ ସେ ଏକ ମିଥ୍ୟା ବୋଲି କହିଛନ୍ତି।
୪୮ ବର୍ଷୀୟ ମୋଗେନସେନ୍, ମସ୍କ ଏବଂ ଟ୍ରମ୍ପଙ୍କ ଦ୍ୱାରା ଫକ୍ସ ନ୍ୟୁଜକୁ ଦିଆଯାଇଥିବା ଏକ ମିଳିତ ସାକ୍ଷାତକାରର ଏକ କ୍ଲିପ୍କୁ ଏକ୍ସରେ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ‘‘ଏଲୋନ୍, ମୁଁ ତୁମକୁ ଏବଂ ତୁମେ ଯାହା ହାସଲ କରିଛ, ବିଶେଷକରି ସ୍ପେସଏକ୍ସ ଏବଂ ଟେସଲାକୁ ନେଇ ଅନେକ ପ୍ରଶଂସା କରିଛି। ତୁମେ ମଧ୍ୟ ଜାଣ ଯେ ବୁଚ୍ ଏବଂ ସୁନିତା ଫେରିବାର ଯୋଜନା ଗତ ସେପ୍ଟେମ୍ବର ମାସରୁ ରହିଛି। ହେଲେ ଏବେ ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଗୋଟାଏ ବି ଜାହଜ ପଠାଇ ନାହିଁ।’’ ସେ ଅନ୍ୟ ଏକ ପୋଷ୍ଟ୍ରେ ଲେଖିଛନ୍ତି, "କି ମିଛ!’’
ତେବେ ଏହାର ପ୍ରତିବାଦରେ ମସ୍କ ପୂର୍ବତନ ଆଇଏସ୍ଏସ୍ କମାଣ୍ଡର୍ଙ୍କୁ ‘ଇଡିୟଟ୍’ ବୋଲି କହି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି କି ‘‘ମୁଁ ସିଧାସଳଖ ବାଇଡେନ୍ ପ୍ରଶାସନକୁ ଏହା ପ୍ରସ୍ତାବ ଦେଇଥିଲି ଏବଂ ସେମାନେ ମନା କରିଦେଲେ। ରାଜନୈତିକ କାରଣରୁ ଫେରାଇ ଆଣିବାକୁ ପଛ ଘୁଞ୍ଚା ଦେଇଥିଲେ ବାଇଡେନ୍ ପ୍ରଶାସନ।’’