ଆଇଏସ୍‌ ଆତଙ୍କବାଦୀ ଅବୁ ଯାଦବ ମୁମ୍ବାଇରୁ ଗିରଫ

ଦୁବାଇରୁ ଆଇଏସ୍‌ ନେଟ୍‌ଓ୍ଵର୍କ ପରିଚାଳନା କରୁଥିଲା

ମୁମ୍ବାଇ: ଉତ୍ତର ପ୍ରଦେଶ ଏଟିଏସ୍‌କୁ ଆଜି ବଡ଼ ସଫଳତା ମିଳିଛି। ଭାରତରେ ଇସ୍‌୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ସଂଗଠନର କାୟାବିସ୍ତାର କରିବା ଏବଂ ବଡ଼ ଧରଣର ହିଂସା ଘଟାଇବା ପାଇଁ ଉଦ୍ୟମ ଚଳାଇଥିବା ଆଇଏସ୍‌ ଆତଙ୍କବାଦୀ ଅବୁ ଜାହିଦ ସଲାଉଦ୍ଦିନ ଶେଖ୍‌କୁ ଉତ୍ତର ପ୍ରଦେଶ ପୁଲିସ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରିଛି । ଆଜମଗଡ଼ ନିବାସୀ ଅବୁ ଜାହିଦକୁ ଧରିବା ପାଇଁ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇ ପୁଲିସ ଦୁଇମାସ ତଳୁ ମିଳିତ ଅପରେସନ ଜାରି ରଖିଥିଲେ ମଧ୍ୟ ସେ ସାଉଦି ଆରବରେ ଆତ୍ମଗୋପନ କରିଥିବାରୁ ତାକୁ ଧରିବା ସହଜ ହେଉନଥିଲା। ଜାହିଦ ଗତକାଲି ସାଉଦି ଆରବରୁ ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାକୁ ଗିରଫ କରାଯାଇଛି। ଆଇବି ଏହି ଆତଙ୍କବାଦୀ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା।

ଅବୁ ଜାହିଦ ଦୁବାଇରୁ ଆଇଏସ୍‌ର ନେଟ୍‌ଓ୍ଵର୍କ ପରିଚାଳନା କରୁଥିଲା। ପଶ୍ଚିମ ଉତ୍ତର ପ୍ରଦେଶରୁ ଧରା ପଡ଼ିଥିବା କେତେକ ଆତଙ୍କବାଦୀକୁ ଜେରା ବେଳେ ସେମାନେ ଅବୁ ଜାହିଦ ସହ ସିଧସଳଖ ସଂପର୍କରେ ଥିବା ଜଣାପଡ଼ିଥିଲା। ଏହା ସହିତ କେରଳ ଓ ଅନ୍ୟ ଅଂଚଳରୁ ଗିରଫ ହୋଇଥିବା ଆଇଏସ୍‌ ଆତଙ୍କବାଦୀ ମଧ୍ୟ ଅବୁ ଜାହିଦର ନିର୍ଦ୍ଦେଶରେ କାମ କରୁଥିଲେ ବୋଲି ଜଣାପଡ଼ିଛି । ଭାରତରେ ବଡ଼ ଧରଣର ଆତଙ୍କବାଦୀ କାଣ୍ଡ ଘଟାଇବା ପାଇଁ ଅବୁ ଜାହିଦ ଯୋଜନା କରୁଥିଲା ଏବଂ ଇଣ୍ଟରନେଟ୍‌ରେ ଏକ ଏପ୍‌ ଅନ୍ୟ ଆତଙ୍କବାଦୀଙ୍କ ସହ ସଂପର୍କ କରୁଥିଲା । ଉତ୍ତର ପ୍ରଦେଶ ଏଟିଏସ୍‌ ପଶ୍ଚିମ ଉତ୍ତର ପ୍ରଦେଶରୁ ଗିରଫ କରିଥିବା ୪ ଜଣ ଆତଙ୍କବାଦୀ ଆଇଏସ୍‌ ସଂଗଠନ ସହ ସଂପୃକ୍ତ ବୋଲି ଏବେ ସ୍ପଷ୍ଟ ହୋଇଯିବା ପରେ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଗୃହ ମନ୍ତ୍ରାଳୟ ଏହି ମାମଲା ଉପରେ ସତର୍କ ନଜର ରଖିଛି। ଭାରତରେ ଆଇଏସ୍‌ ଆତଙ୍କବାଦୀଙ୍କୁ ପାଦ ଥାପିବାକୁ ଦିଆଯିବ ନାହିଁ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର