ନୂଆଦିଲ୍ଲୀ: ବିହାରରେ ବିଜେପି ସହ ଆରଜେଡି ମେଣ୍ଟ ଭାଙ୍ଗିବା ମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟକୁ ଆସିଛି ବିଜେପି। ମଙ୍ଗଳବାର ଦିନ ଅଖିଳେଶ କହିଛନ୍ତି ଯେ ଯଦି ବିଜେପିକୁ ମଜବୁତ କରାଯାଏ ତେବେ ସେ ଲୋକଙ୍କଠାରୁ ଭୋଟ୍ ଦେବାର ଅଧିକାର ଛଡ଼ାଇ ନେବ।

Advertisment

ଏକ ଉଦାହରଣ ଦେଇ ଅଖିଳେଶ କହିଛନ୍ତି ଯେ ସମଗ୍ର ବିଶ୍ବକୁ ଦେଖ। କିଛି ଏଭଳି ଦେଶ ଅଛି ଯେଉଁଠାରେ ଭୋଟ୍ ଦେବାର ବ୍ୟବସ୍ଥା ନାହିଁ। ସେଠାରେ ସ୍ଥାୟୀ ସରକାର ରହିଛି । କେତେକ ସ୍ଥାନରେ ସେନା ଦେଶର ଗଣତନ୍ତ୍ର ଚଳାଉଛି। ପଡୋଶୀ ଦେଶ ଚାଇନାରେ କୌଣସି ନିର୍ବାଚନ ହୁଏ କି? ଋଷରେ ବି ନିର୍ବାଚନ ହୁଏ କି? ପାକିସ୍ତାନରେ ସେନା ଯାହାକୁ ଚାହେଁ ତାକୁ କ୍ଷମତାକୁ ଆଣେ । ମିଆଁମାର ଏବଂ ଏହାର ଆଖପାଖ ଦେଶରେ ମଧ୍ୟ ନିର୍ବାଚନ ହେଉନାହିଁ। ତେଣୁ ସାବଧାନ ରୁହନ୍ତୁ।

ଅଗଷ୍ଟ କ୍ରାନ୍ତି ଦିବସରେ ଝାୱା ଗାଁରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ସେ କହିଛନ୍ତି ଯେ, ବିଜେପି ପଛୁଆ ଜାତି ଏବଂ ଦଳିତଙ୍କ ଭୋଟ୍ ନେଇ କ୍ଷମତାକୁ ଆସୁଛି। କିନ୍ତୁ ସେମାନଙ୍କୁ ସେମାନଙ୍କର ଉଚିତ୍ ଅଧିକାର ପ୍ରଦାନ କରୁ ନାହିଁ। ପଛୁଆ ଜାତି ଏବଂ ଦଳିତଙ୍କଠାରୁ ଚାକିରି ଛଡ଼ାଇ ନିଆଯାଉଛି ଏବଂ ସମ୍ବିଧାନ ଉପରେ ମଧ୍ୟ ଆକ୍ରମଣ କରାଯାଉଛି। ଯଦି ବିଜେପି ଅଧିକ ଶକ୍ତିଶାଳୀ ହୁଏ, ତେବେ ଆପଣ ଭୋଟ୍ ଦେବାର ଅଧିକାର ମଧ୍ୟ ହରାଇ ପାରନ୍ତି। ଆପଣ ଏହାକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ।