ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ନିର୍ବାଚନ ଜିତିବା ପରେ କେଉଁ କାମ ପ୍ରଥମେ କରିବେ, ତାହା ଜଣାଇଛନ୍ତି। ବୁଧବାର ସେ କହିଛନ୍ତି ଯେ, ଯଦି ସେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ମୁଖ୍ୟ ହୁଅନ୍ତି, ତେବେ ସେ ଦଳର ବିଦ୍ୟମାନ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବେ ଏବଂ ଏକ ସଂସଦୀୟ ବୋର୍ଡ ମଧ୍ୟ ଗଠନ କରିବେ।
ନ୍ୟୁଜ୍ ଏଜେନ୍ସି 'ପିଟିଆଇ-ଭାସା'କୁ ଦେଇଥିବା ସାକ୍ଷାତକାରରେ ଥରୁର କହିଛନ୍ତି ଯେ, କଂଗ୍ରେସ ଏହାର କ୍ଷମତାକୁ ବିକେନ୍ଦ୍ରୀକରଣ କରିବା ସହ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ସଶକ୍ତ କରିବା ଉଚିତ୍। ମୁଁ ଅଧ୍ୟକ୍ଷ ହେବା ପରେ ଏଥିପ୍ରତି ଧ୍ୟାନ ଦେବି। ଏହା ସହ କିଛି ମାସ ପୂର୍ବେ ଆୟୋଜିତ ହୋଇଥିବା 'ଚିନ୍ତନ ଶିବିର'ରେ ଯେଉଁ ଉଦୟପୁର ନବସଂକଳ୍ପକୁ ନେଇ ସମସ୍ତେ ଏକମତ ହୋଇଥିଲେ ସେ ସମ୍ପୂର୍ଣ୍ଣ ରୂପେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି।
ଯଦି ସେ ଅଧ୍ୟକ୍ଷ ହୁଅନ୍ତି ତେବେ କଂଗ୍ରେସ ପାଇଁ ତାଙ୍କର ଯୋଜନା କ’ଣ ବୋଲି ପଚରାଯାଇଥିବା ବେଳେ ୬୬ବର୍ଷିୟ ଥରୁର କହିଛନ୍ତି ଯେ, ମୁଁ ଭାବୁଛି ପ୍ରଥମ ପଦକ୍ଷେପ ହେଉଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ନିର୍ବାଚନ କରିବା ଯାହା ଦ୍ବାରା ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ପ୍ରସାର ହୋଇପାରିବ। ମୁଁ କଂଗ୍ରେସ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବି। କାର୍ଯ୍ୟକାରିଣୀ କମିଟି ନିର୍ବାଚନ ଏବଂ ସଂସଦୀୟ ବୋର୍ଡ ଗଠନ କଂଗ୍ରେସ ସମ୍ବିଧାନ ଅନୁଯାୟୀହେବା ଆବଶ୍ୟକ।