ଏଥର ଜିତିଲେ ଆଉ ମୂର୍ତ୍ତି ବା ସ୍ମାରକୀ କରିବି ନାହିଁ: ମାୟାବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଏଥର ନିର୍ବାଚିତ ହେଲେ ଆଉ କୌଣସି ପାର୍କ, ମୂର୍ତ୍ତି ବା ସ୍ମାରକୀ ନିର୍ମାଣ କରିବେ ନାହିଁ ବୋଲି କହିଛନ୍ତି। ବିଏସ୍‌ପି ନେତ୍ରୀ କହିଛନ୍ତି ଯେ ଯଦି ଏଥର ସେ ଜିତି ସରକାର ଗଠନ କରନ୍ତି, ତେବେ ତାଙ୍କ ରାଜନୈତିକ ମାର୍ଗଦର୍ଶକଙ୍କ ସ୍ମୃତିରେ ଆଉ କୌଣସି ମୂର୍ତ୍ତି, ସ୍ମାରକୀ ବା ପାର୍କ ନିର୍ମାଣ କରିବେ ନାହିଁ। କାରଣ ଏସବୁ ସେ ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରିତ୍ବ ସମୟରେ ବହୁତ କରିସାରିଛନ୍ତି। ଉତ୍ତରପ୍ରଦେଶରେ ଚାରିଥର ମୁଖ୍ୟମନ୍ତ୍ରୀ ରହିଥିବା ମାୟାବତୀ ଭୋଟରମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେବା ପ୍ରଥମ ନୁହେଁ। ୨୦୧୬ରେ ବି ସେ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଲୋକେ ତାଙ୍କ ଉପରେ ଆଉ ଭରସା କରିପାରୁ ନାହାନ୍ତି।

ମୁଖ୍ୟମନ୍ତ୍ରୀ ହେଲା ପରେ ମାୟାବତୀ ଜନସାଧାରଣଙ୍କ ଅର୍ଥରେ ପାର୍କ, ନିଜର ଓ ଦଳର ପ୍ରତିଷ୍ଠାତା କାଂଶୀରାମଙ୍କ ବିରାଟ ପ୍ରତିମୂର୍ତ୍ତି ଏବଂ ଦଳର ଚିହ୍ନ ହାତୀ ପ୍ରତିମୂର୍ତ୍ତି ‘ଦଳିତଙ୍କ ଗର୍ବ’ ନାମରେ ବହୁ ସଂଖ୍ୟାରେ ନିର୍ମାଣ କରିଥିଲେ। ନିଜର ଓ ଦଳର ବଡ଼ିମା ଦେଖାଇବା ପାଇଁ ସେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଲୋକାୟୁକ୍ତଙ୍କ କହିବା ଅନୁସାରେ ଏ ବାବଦରେ ତାଙ୍କ ସରକାର ୧,୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହିସବୁ କାର୍ଯ୍ୟ ପାଇଁ ୨୦୧୨ରେ ସେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କଠାରୁ ହାରିଲେ। ସେବେଠାରୁ ତାଙ୍କ ଦଳ ଆଉ ଉଠିପାରୁ ନାହିଁ।

ଏଥର ସେ ଏକ ପୁରୁଣା ଫର୍ମୁଲା ଅବଲମ୍ବନ କରୁଛନ୍ତି। ଗତ ଜୁନ୍ ମାସରୁ ସେ ବ୍ରାହ୍ମଣ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇମାସ ତଳେ ସେ ଯେଉଁ ବ୍ରାହ୍ମଣ ସମ୍ମେଳନ ଆରମ୍ଭ କରିଥିଲେ, ଆଜିର ବୈଠକ ଥିଲା ତା’ରି ଏକ ନବୀକୃତ ରୂପ। ଏଥିରେ ଭାଷଣ ଅବସରରେ ସେ ସ୍ମାରକୀ ନିର୍ମାଣ ନ କରିବା ସହ ବ୍ରାହ୍ମଣମାନଙ୍କ ସୁରକ୍ଷାକୁ ତାଙ୍କ ଦଳ ଗୁରୁତ୍ବ ଦେବ ବୋଲି ଘୋଷଣା କରିଥିଲେ। ୨୦୨୨ରେ ଯଦି ତ‌ାଙ୍କ ଦଳ ସରକାର ଗଢ଼େ ତେବେ ସେମାନେ ‘ସର୍ବଜନ ହିତାୟ ସର୍ବଜନ ସୁଖାୟ’ ନୀତି ଅନୁସରଣ କରିବେ ବୋଲି କହିଥିଲେ, ଯାହା ସେମାନେ ୨୦୦୭ରେ କରିଥିଲେ। ସେତେବେଳେ ସେମାନେ କେବଳ ଦଳିତ ଓ ପଛୁଆବର୍ଗଙ୍କ ହିତ ଦେଖି ନ ଥିଲେ, ବରଂ ଉଚ୍ଚବର୍ଣ୍ଣର ଲୋକଙ୍କ ହିତ ବି ଚିନ୍ତା କରିଥିଲେ। ଆମ ଦଳ କେବଳ ଗୋଟିଏ ଜାତି ବା ଧର୍ମ ପାଇଁ ନୁହେଁ ବରଂ ଏହା ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବୋଲି ମାୟାବତୀ କହିଥିଲେ। ଉଲ୍ଲେଖନୀୟ ଯେ ଉତ୍ତରପ୍ରଦେଶ ଜନସଂଖ୍ୟାର ୧୧ ପ୍ରତିଶତ ହେଉଛନ୍ତି ବ୍ରାହ୍ମଣ ଏବଂ ସେମାନେ ରାଜନୀତି ଓ କ୍ଷମତା ସମୀକରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ସମ୍ବନ୍ଧିତ ଖବର