ନୂଆଦିଲ୍ଲୀ: କ୍ରିକେଟର-ଟର୍ଣ୍ଣଡ୍-ପଲଟିସିଆନ୍ ଇମ୍ରାନ୍ ଖାନ୍ଙ୍କ ପ୍ରଧାନମନ୍ତ୍ରୀ ସପକ୍ଷରେ ଜନମତ ରହିଛି ବୋଲି ଚର୍ଚ୍ଚା ଶୁଣିବାକୁ ମିଳିଛି। ବୁଧବାର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଭଳି ଏକ ଆକଳନ ଆରମ୍ଭ ହୋଇଛି। ନିର୍ବାଚନ ଫଳାଫଳ ନେଇ ହୋଇଥିବା ବିଭିନ୍ନ ସର୍ଭେରୁ ମଧ୍ୟ ଏଭଳି ସୂଚନା ମିଳୁଛି।
ତେଣେ ଇମ୍ରାନଙ୍କୁ ପାକିସ୍ତାନୀ ସେନାର ପରୋକ୍ଷ ସମର୍ଥନ ରହିଥିବା ଜଣାପଡ଼ିଛି। ସାଧାରଣ ଭାବେ ଏକଥା ଜଣାଶୁଣା କି ପାକିସ୍ତାନରେ ନିର୍ବାଚନ ଏକ ଲୋକ ଦେଖାଣିଆ ପ୍ରକ୍ରିୟା, କେଉଁ ଦଳ କ୍ଷମତାକୁ ଆସିବ ତାହା ମୁଖ୍ୟତଃ ପାକ୍-ସେନା ଓ ଗୋଇନ୍ଦା ବ୍ୟବସ୍ଥା ଆଇଏସ୍ଆଇ ଉପରେ ନିର୍ଭର କରେ।
HT PHOTOଅନ୍ୟପକ୍ଷରେ ଭାରତ-ପାକ ସଂପର୍କ ଭବିଷ୍ୟତରେ କିଭଳି ହେବ ତାହା ଏହି ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଛି। ଯେଉଁ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ ତାଙ୍କର ଭାରତ ପ୍ରତି ମନୋଭାବ ଓ କାଶ୍ମୀର ନୀତି ବହୁଭାବରେ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ସମୟରେ ଇମ୍ରାନ୍ ଖାନଙ୍କ ବକ୍ତବ୍ୟ ଯଦି ଆମେ ପରଖିବା ତେବେ ଦେଖିବା ସେ ଜଣେ କଟ୍ଟର ଭାରତ ବିରୋଧୀ। ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନଓ୍ଵଜ ସରିଫ୍ଙ୍କୁ ମୁଖ୍ୟତଃ ଇମ୍ରାନ ଭାରତର ସମର୍ଥକ ବୋଲି କହି ଟାର୍ଗେଟ୍ କରିଛନ୍ତି। ‘ନଓ୍ଵାଜ ସରିଫ୍ ମୋଦିଙ୍କ ଭାଷା କହୁଛନ୍ତି’, ‘ନଓ୍ଵାଜ ପାକିସ୍ତାନରେ ଭାରତର ସ୍ୱାର୍ଥକୁ ଜଗୁଛନ୍ତି’, ‘ନଓ୍ଵାଜ ଆଧୁନିକ ଯୁଗର ମିର୍ ଜାଫର୍’ ଆଦି କଡ଼ା ମନ୍ତବ୍ୟ ଦେଇ ଇମ୍ରାନ୍ ଖାନ୍ ଚର୍ଚ୍ଚାରେ ରହିଛନ୍ତି। ସେ ମୁଖ୍ୟତଃ କଡା ଭାରତ ବିରୋଧୀ ଭାବେ ନିଜକୁ ଚିତ୍ରିତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଭଳି ମନେହେଉଛି।
୨୬/୧୧ ଆତଙ୍କବାଦୀ ଆକ୍ରମଣର ତଦନ୍ତକୁ ତ୍ୱରାନ୍ଵିତ କରିବା ଓ ୨୦୧୫ରେ ମୋଦିଙ୍କ ଲାହୋର ଗସ୍ତ ଆଦିକୁ ପ୍ରସଙ୍ଗ କରି ଇମ୍ରାନ୍ ନଓ୍ଵାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ କ୍ଷମତାକୁ ଆସିବା ପରେ ଇମ୍ରାନ୍ ଯଦି ଏଭଳି ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ ଭାରତ-ପାକିସ୍ତାନ ସଂପର୍କ ଆହୁରି ସଙ୍କଟଜନକ ସ୍ଥିତିକୁ ଗତି କରିବ ବୋଲି ଅନୁମାନ କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/imran-copy.jpg)