ରାହୁଲ୍‌ଙ୍କ କର୍ମ ବାମ ହେଲେ ଆମର କି ଦୋଷ: ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କ କର୍ମ ବାମ ହେଲେ ଆମର କି ଦୋଷ ବୋଲି ଲୋକସଭା ସାଂସଦ ପଦରୁ ରାହୁଲ୍‌ଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ଲୋକସଭା ସଦସ୍ୟତାରୁ ରାହୁଲ୍‌ଙ୍କୁ ଅଯୋଗ୍ୟ ଘୋଷଣା ମାମଲା ରାଜନୈତିକ ନୁହେଁ, ନ୍ୟାୟିକ ନିଷ୍ପତ୍ତି।

ସଦସ୍ୟତା ପଦ ରଦ୍ଦ କ’ଣ ରାହୁଲ୍‌ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର୍‌ର ଅବସାନ ବୋଲି ପଚରା ଯିବାରୁ ସେ କହିଲେ, ନା, ନା, ଆପଣ ଜଣେ ବିରୋଧୀ ନେତା। ଆପଣ ରାଲି, ସଭା, ଭାରତ ଯୋଡ଼ୋ ଯାତ୍ରା କରିଛନ୍ତି। ଆପଣ ହାଇକୋର୍ଟକୁ ଯାଆନ୍ତୁ, ସୁପ୍ରିମ୍‌ କୋର୍ଟକୁ ଯାଆନ୍ତୁ, କିନ୍ତୁ ଗୋଟାଏ ସମ୍ପ୍ରଦାୟକୁ ନିନ୍ଦା କରିପାରିବେ ନାହିଁ। ଏଇଟା ଠିକ୍‌ କଥା ନୁହେଁ।

Image Grabbed From Video

ଶର୍ମା ପୁଣି କହିଛନ୍ତି, ଯଦି ଆପଣ ନ୍ୟାୟିକ ବିଚାର ନିଷ୍ପତ୍ତିରେ ଅସନ୍ତୁଷ୍ଟ, ତେବେ ଉଚ୍ଚତର ଅଦାଲତକୁ ଯାଆନ୍ତୁ। ଅଯୋଗ୍ୟତା ପ୍ରସଙ୍ଗ କଥା କହିବାକୁ ଗଲେ, ତାଙ୍କୁ ତୁରନ୍ତ ଅଯୋଗ୍ୟତାରୁ ବଞ୍ଚିତ କରିବାକୁ ଥିବା ଅଧ୍ୟାଦେଶକୁ ସେ ନିଜେ ଚିରି ପକାଇଛନ୍ତି। ତାଙ୍କ କର୍ମ ବାମ ହେଲେ, ଆମର ବା ଦୋଷ କ’ଣ? ହିନ୍ଦୁ ଧର୍ମରେ ଆମେ କର୍ମରେ ବିଶ୍ବାସ କରୁ। ପ୍ରଧାନମନ୍ତ୍ରୀ ଥିବା ବ‌େଳେ ଡକ୍ଟର୍‌ ସିଂହ ଅଧ୍ୟାଦେଶ ପ୍ରଚଳନ କରିଥିଲେ।

Image Courtesy of India Today

ଅରୁଣାଚଳ ପ୍ରଦେଶରେ ସେ ସମ୍ପ୍ରଦାୟ (ମୋଦୀ) ରହୁଥିବାରୁ ସେଠାରେ ବି ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଟିପ୍ପଣୀ ଦେବା ପରେ ପରେ ରାହୁଲ୍‌ କ୍ଷମାଭିକ୍ଷା କରିବା ଉଚିତ ଥିଲା। ବେଳେ ବେଳେ ପାଟିରୁ କଥା ଖସିଯାଏ। ସେତେବେଳେ କଥା ସରିଥାଆନ୍ତା। କିନ୍ତୁ, ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ରାହୁଲ୍‌ କ୍ଷମାଭିକ୍ଷା କଲେ ନାହିଁ କି, ଟିପ୍ପଣୀ ପ୍ରତ୍ୟାହାର କଲେନାହିଁ। ସେ ଅନିଚ୍ଛାକୃତ ଭାବେ ଉକ୍ତ ଟିପ୍ପଣୀ ଦେଇ ନ ଥିଲେ ବୋଲି ଏଥିରୁ ପ୍ରମାଣିତ ହେଉଥିବା କଥା ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର