ଯଦି ପିଲାମାନେ ସକାଳ ୭ଟାରେ ସ୍କୁଲ୍‌ ଯାଇ ପାରିବେ, ସୁପ୍ରିମ୍‌ କୋର୍ଟ ମଧ୍ୟ ସକାଳ ୯ଟାରୁ ଚାଲି ପାରିବ: ବିଚାରପତି ଲଳିତ

ନୂଆଦିଲ୍ଲୀ: ଯଦି ପିଲାମ‌ାନେ ସକାଳ ୭ଟା ବେଳେ ସ୍କୁଲ୍‌ ଯାଇପାରିବେ, ବିଚାରପତି ଏବଂ ଓକିଲମାନେ କାହିଁକି ୯ଟା ବେଳେ ଅଦାଲତକୁ ଆସି ପାରିବେ ନାହିଁ ବୋଲି ଆଜି ଚିରାଚରିତ ସମୟର ଘଣ୍ଟାଏ ଆଗରୁ ଗୋଟାଏ ମାମଲାର ଶୁଣାଣି ଆରମ୍ଭ କରି ସୁପ୍ରିମ୍‌ କୋର୍ଟର ବିଚାରପତି ଉଦୟ ୟୁ. ଲଳିତ କହିଛନ୍ତି।

ସୂଚନାଯୋଗ୍ୟ, କାର୍ଯ୍ୟ ଦିବସଗୁଡ଼ିକରେ ମାମଲା ବିଚାର ଆରମ୍ଭ କରିବା ନିମନ୍ତେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ପୂର୍ବାହ୍ନ ୧୦.୩୦ରେ ଏକତ୍ର ହୁଅନ୍ତି। ଅପରାହ୍ଣ ୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତିକୁ ବାଦ ଦେଇ ସେମାନେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବସନ୍ତି।

କିନ୍ତୁ, ନିୟମିତ ସମୟରୁ ବାହାରି ଯାଇ ଆଜି ବିଚାରପତି ଲଳିତ ପୂର୍ବାହ୍ନ ୯.୩୦ରେ ମାମଲା ଶୁଣାଣି ଆରମ୍ଭ କରିଥିଲେ। ତାଙ୍କ ଖଣ୍ଡପୀଠରେ ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆ ମଧ୍ୟ ଥିଲେ।

Image Courtesy of NDTV

ଗୋଟାଏ ଜାମିନ ମାମଲାରେ ହାଜର ହୋଇଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ୍‌ ରୋହତଗି ସଅଳ ଆରମ୍ଭ ହୋଇଥିବା ଖଣ୍ଡପୀଠଙ୍କୁ ପ୍ରଶଂସା କରିଥିଲେ। ସେ କହିଲେ, ଅଦାଲତ ଆରମ୍ଭ କରିବା ଲାଗି ସକାଳ ୯.୩୦ ଅଧିକ ପ୍ରକୃଷ୍ଟ ସମୟ ବୋଲି ମୁଁ ନିଶ୍ଚୟ କହିବି।

ପ୍ରତ୍ତ୍ୟୁତର ଦେଇ ବିଚାରପତି ଲଳିତ କହିଲେ, ମୋ ମତରେ ଅଦାଲତ ସଅଳ ଆରମ୍ଭ ହେବା ଉଚିତ। ସକାଳ ୯ଟାରେ ବିଚାର ଆରମ୍ଭ ହେବା ଉଚିତ। ମୁଁ ସବୁବେଳେ କହେ, ପିଲାମାନେ ଯଦି ସକାଳ ୭ଟାରେ ସ୍କୁଲ୍‌ ଯାଇ ପାରିବେ, ଆମେ କାହିଁକି ସକାଳ ୯ଟାରେ ଅଦାଲତକୁ ଆସିପାରିବା ନାହିଁ?

ଅଗଷ୍ଟ ମାସରେ ଭାରତର ପ୍ରଧାନ ବିଚାରପତି ହେବାକୁ ଯାଉଥିବା ବିଚାରପତି ଲଳିତ ପ୍ରସ୍ତାବ ଦେଇଛନ୍ତି, ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ସବୁ ସକାଳ ୯ଟାରେ ଆରମ୍ଭ ହୋଇ ୧୧.୩୦ରେ ଅଧଘଣ୍ଟା ପାଇଁ ବିରତିରେ ଯିବା ଉଚିତ। ପୁଣି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ ହେବା କଥା। ଫଳତଃ ସନ୍ଧ୍ୟା ବେଳେ ଅଧିକ କାମ କରିବା ଲାଗି ଜଣେ ସମୟ ପାଇପାରିବ।

ସମ୍ବନ୍ଧିତ ଖବର