ଭାରତ ବିରୋଧୀ କାମ କରୁଥିବା ନେଇ ସୂଚନା ମିଳିବା ମାତ୍ରେ ଭଙ୍ଗାଯିବ ମଦ୍ରାସା: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଭାରତ ବିରୋଧୀ କାମ କରୁଥିବା ନେଇ ସୂଚନା ମିଳିବା ମାତ୍ରେ ଭଙ୍ଗାଯିବ ମଦ୍ରାସା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଆଜି ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଯଦି ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ମଦ୍ରାସା ବ୍ୟବହାର ହେଉଥିବା ଉପରେ ସରକାର ଇନପୁଟ୍ ପାଆନ୍ତି, ତେବେ ଏହି ଅନୁଷ୍ଠାନଗୁଡିକ ଭାଙ୍ଗି ଦିଆଯିବ। ବୋଙ୍ଗାଇଗାଓଁରେ ‘ଜିହାଦି’ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇଥିବା ଏକ ମଦ୍ରାସାକୁ ଭଙ୍ଗାଯିବା ପରେ ଆଜି ଏଭଳି କହିଛନ୍ତି ହିମନ୍ତ ବିଶ୍ବ ଶର୍ମା।

ହିମନ୍ତ ବିଶ୍ବ ଶର୍ମା ଆହୁରି କହିଛନ୍ତି ଯେ, ମଦ୍ରାସା ଭାଙ୍ଗିବାର କୌଣସି ଉଦ୍ଦେଶ୍ୟ ନାହିଁ। ଜିହାଦି କାର୍ଯ୍ୟକଳାପ ପାଇଁ ଯେମିତି ମଦ୍ରାସାକୁ ବ୍ୟବହାର ନକରାଯାଏ, ତାହା ଆମେ ଚାହୁଁଛୁ। ମଦ୍ରାସାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ନେଇ ଯଦି ଆମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳେ, ତେବେ ଆମେ ସେଗୁଡ଼ିକୁ ଧ୍ୱଂସ କରିବୁ।

ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ସଂଗଠନ ଅଲ-କାଏଦା ସହ ଲିଙ୍କ ଥିବାରୁ ବୁଧବାର ଆସାମର ବୋଙ୍ଗାଇଗାଓଁର ଏକ ମଦ୍ରାସାକୁ ଭାଙ୍ଗି ଦିଆଯାଇଥିଲା। ମଦ୍ରାସାର ଶିକ୍ଷକ ଗିରଫ ହେବା ପରେ ଆସାମ ସରକାର ଏହି ପଦକ୍ଷେପ ନେଇଥିଲେ। ମଦ୍ରାସାର ଶିକ୍ଷକଙ୍କ ଅଲ-କାଏଦା ସହ ଲିଙ୍କ ଥିବା ନେଇ ଅଭିଯୋଗ ହେବା ପରେ ସରକାର ଏଭଳି କରିଥିଲେ। ଅଭିଯୋଗ ହୋଇଥିଲା ଯେ ମୁଫତି ହଫିଜୁର ରହମାନ ମଦ୍ରାସାରେ ଥିବାବେଳେ ଜିହାଦି କାର୍ଯ୍ୟକଳାପ କରୁଥିଲେ।

ମଦ୍ରାସାଗୁଡିକ ଏପିଡବ୍ଲୁଡି ନିର୍ଦ୍ଦିଷ୍ଟତା/ ଆଇଏସ୍ ମାନଦଣ୍ଡ ଅନୁଯାୟୀ ନିର୍ମାଣ ହୋଇ ନଥିବାରୁ ଏହା ମାନବ ବାସ ପାଇଁ ଅସୁରକ୍ଷିତ ଅଟେ। ଏହି କାରଣରୁ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ ଏସପି ସ୍ବପ୍ନାନିଲ ଡେକା।

ସମ୍ବନ୍ଧିତ ଖବର