କୋଲକାତା: ଉତ୍ତର ଦିନାଜପୁର ଜିଲ୍ଲା ଇସଲାମପୁରର ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଅବଦୁଲ କରିମ ଚୌଧୁରୀ ଘୋଷଣା କରିଛନ୍ତି ଯେ ସେ ଇସଲାମପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବେ ଏବଂ ଯଦି ଦଳୀୟ ନେତୃତ୍ୱ ଏହି ତାଲିକାକୁ ସମର୍ଥନ ନ କରନ୍ତି ତେବେ ସେ ସେମାନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ କରି ନିର୍ବାଚନ ଲଢ଼ାଇବେ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ରାଜ୍ୟ ନେତୃତ୍ୱଙ୍କୁ ପ୍ରଦାନ କରିବି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଯଦି ମମତା ବାନାର୍ଜୀ ଏହି ତାଲିକାକୁ ଗ୍ରହଣ ନ କରନ୍ତି ତେବେ ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଇସଲାମପୁରର ମାଟିକୁଣ୍ଡା ଠାରେ ଦୁଇ ଗୋଷ୍ଠୀର ଟିଏମସି ସମର୍ଥକ ମୁହାଁମୁହିଁ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ଦିନାଜପୁରର ତୃଣମୂଳ ଜିଲ୍ଲା ସଭାପତି କନିଆଲାଲ ଅଗ୍ରଓ୍ଵାଲା ଏବଂ ଇସଲାମପୁର ବ୍ଲକର ତୃଣମୂଳ ମୁଖ୍ୟ ଜାକିର ହୁସେନ୍ଙ୍କ ବିରୋଧରେ ବିଧାୟକ ଏହି ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ। ଦଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚୌଧୁରୀ ଦାବି କରିବା ସହ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା ପାଇଁ ରାଜ୍ୟ ନେତୃତ୍ୱଙ୍କ ଦ୍ୱାରା କୋଲକାତାରେ ଡକାଯାଇଥିବା ବୈଠକରୁ ନିଜକୁ ଦୂରେଇ ରଖିଥିଲେ।
ବିଧାୟକ ଚୌଧୁରୀଙ୍କ ଏପ୍ରକାର ଦାବୀରେ ଦଳୀୟ କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଟିଏମସି ଦଳର ସର୍ବୋଚ୍ଚ ନେତ୍ରୀ ମମତା ବାନାର୍ଜୀ କିଛି ଦିନ ତଳେ ଦାବୀ କରିଥିଲେ ଯେ ସେ ପଞ୍ଚାୟତ ନିର୍ବାଚନରେ ଲଢ଼ିବା ପାଇଁ ଦଳର ପ୍ରାର୍ଥୀ ନିଜେ ଚୟନ କରିବେ। ତେବେ, ବିଧାୟକ ଚୌଧୁରୀ କହିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିଛି। ଏହାବ୍ୟତୀତ ଦଳର ଅନେକ ପ୍ରକୃତ ସଦସ୍ୟ ଅଛନ୍ତି ଯେଉଁମାନେ ଖୋଲା ଓ ସଚ୍ଚୋଟ ଢଙ୍ଗରେ ନିର୍ବାଚନ ଲଢ଼ି ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି। ଯେହେତୁ ଆମେ ପଞ୍ଚାୟତଗୁଡ଼ିକୁ ଦୁର୍ନୀତିମୁକ୍ତ କରିବାକୁ ଚାହୁଁଛୁ, ତେଣୁ ସେମାନଙ୍କ ଲକ୍ଷ୍ୟକୁ ଅଣଦେଖା କରିବାର ଆମର କୌଣସି ଅଧିକାର ନାହିଁ ବୋଲି ଚୌଧୁରୀ କହିଛନ୍ତି। ସେଥିପାଇଁ ମୁଁ ଯୋଗ୍ୟ ପ୍ରାର୍ଥୀ ଚୟନ କରି ତାଲିକା ପ୍ରସ୍ତୁତ କରିଛି।
ତେବେ, ବିଧାୟକଙ୍କ ମନ୍ତବ୍ୟ ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲା ତୃଣମୂଳ ନେତାମାନେ ଚୌଧୁରୀଙ୍କୁ ଦଳୀୟ ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କୁ ଦଳର ରାୟକୁ ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/A1-13.jpg)