ପାକିସ୍ତାନ ଯଦି ଯୁଦ୍ଧ ଚାହୁଁଛି; ତେବେ ଉପଯୁକ୍ତ ଜବାବ୍‌ ଦେବା ପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ: ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌

ଶ୍ରୀନଗର: ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ସେନାମୁଖ୍ୟ ଜେନେରାଲ ରାଓ୍ଵତ ବେଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯୁଦ୍ଧ କରିବାକୁ ଚାହୁଁଛି; ତେବେ ତା’ର ଉପଯୁକ୍ତ ଜବାବ୍‌ ଦେବା ପାଇଁ ଭାରତୀୟ ସେନା ମଧ୍ୟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି।

ଜେନେରାଲ ରାଓ୍ଵତ୍‌ କହିଛନ୍ତି, ଜମ୍ମୁ- କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। କଶ୍ମୀର କେବେ ବି ପାକିସ୍ତାନର ଅଂଶ ବିଶେଷ ନଥିଲା କି ନାହିଁ ମଧ୍ୟ। ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଓ ରାଜ୍ୟ  ମାନ୍ୟତା ବଦଳରେ ଜମ୍ମୁ- କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ ହେଉଛି ଭାରତର ସଂପୂର୍ଣ୍ଣ ନିଜସ୍ୱ ଏବଂ ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ପଡ଼ୋଶୀ ପାକିସ୍ତାନର କିଛି କହିବାର ନାହିଁ କି କରିବାର ମଧ୍ୟ ନାହିଁ। ଏହା ସତ୍ତ୍ୱେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେପରି ଭାବେ ପ୍ରତିକ୍ରିୟାଶୀଳ ହେଉଛି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌।

Hindustan

ଏସବୁ ବିଷୟ ବେଶ ଭଲରୂପେ ହୃଦୟଙ୍ଗମ କରିଥିଲେ ମଧ୍ୟ କେବଳ ମାତ୍ର ନିଜ ଦେଶରେ ପାଳିଥିବା ଆତଙ୍କବାଦୀମାନଙ୍କ ଚାପରେ ପଡ଼ି ପାକିସ୍ତାନ ବାରମ୍ବାର ଯୁଦ୍ଧ ଧମକ ଦେଉଛି। ତେବେ, ପାକିସ୍ତାନ ଭୁଲି ଯିବା ଉଚିତ୍‌ ନୁହେଁ ଯେ ଭାରତୀୟ ସେନା ଆତଙ୍କବାଦୀମାନଙ୍କୁ ଢ଼ାଲ କରି ଯୁଦ୍ଧ ଲଢ଼େ ନାହିଁ। ନିଜ ଶକ୍ତି ବଳରେ ଯୁଦ୍ଧ ଲଢ଼େ ଭାରତୀୟ ସେନା। ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯଦି ଯୁଦ୍ଧ କରିବାକୁ ଚାହୁଁଛି; ତେବେ ତା’ର ଉପଯୁକ୍ତ ଜବାବ୍‌ ଦେବା ପାଇଁ ଭାରତୀୟ ସେନା ମଧ୍ୟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ବୋଲି ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌।

ସମ୍ବନ୍ଧିତ ଖବର